ଜିଲ୍ଲାସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ – ୨୦୨୨ ପାଳିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବ ଯୋଗଦାନ କରି ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ବିଭିନ୍ନ ବିପତ୍ତି ମାନ ଆସୁଛି । ଏହି ସମୟରେ ଗୋଷ୍ଠୀଗତଙ୍କୁ ସାମିଲ କରାଯାଇ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଯୋଜନା ପ୍ରସ୍ତୁତି କରିବା ତେବେ ଯାଇ ଆସୁଥିବା ବିପତ୍ତିର ମୁକାବିଲା କରିବା ସମ୍ଭବପର ହେବ । ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ଆଜି ସଚେତନତା ହିଁ ମୁଖ୍ୟ ମାଧ୍ୟମ ସାଜିଛି । ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ କରିବା ସହିତ ପୂର୍ବରୁ ସଜାଗ ରହିଲେ ବିପତ୍ତିର ମୁକାବିଲା ସହଜସାଧ୍ୟ ହୋଇପାରିବ । ଏଥି ନିମନ୍ତେ ପ୍ରତି ଗ୍ରାମରେ ଭିତ୍ତିଭୂମି ରହିବା ଆବଶ୍ୟକ ବୋଲି ମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟି ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ସମ୍ପର୍କରେ ଜଣାଇଥିଲେ । ଅନସ୍ଲୋ ବିଦ୍ୟାଳୟ ଖେଳ ପଡିଆ ଠାରୁ ସଚେତନତା ସମ୍ପର୍କିତ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାସକାଠିଆ ପରିବେଷଣ ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । ଓସଡମା, ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍ ଛତ୍ରପୁର ଓଡ୍ରାଫ୍ ଟିମ୍ ଦ୍ବାରା ମକ୍ ଡ୍ରିଲ୍ ପ୍ରଦର୍ଶନ ପୂର୍ବକ କିଭଳି ବିପତ୍ତି ଆପତ୍ତି ସମୟରେ ଲୋକଙ୍କ ଜନଜୀବନ ସୁରକ୍ଷା ଦିଆଯାଇପାରିବ ତାହାର ପୂର୍ବ ପ୍ରସ୍ତୁତ ଅଭ୍ୟାସ ପ୍ରଦର୍ଶନ ହୋଇଥିଲା । ବିପତ୍ତି ସମୟରେ କେଉଁ ସବୁ ଯନ୍ତ୍ରପାତି ସରଞ୍ଜାମ ଦ୍ବାରା ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ବିନିଯୋଗ ହେଉଛି ତାହା ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏସ୍.ଆଇ. ଆର୍ମସ ପ୍ରସନ୍ନ କୁମାର ସୁବୁଦ୍ଧି ଏବଂ ସେମାନଙ୍କ ସାଥୀଗଣ ଏହି ଦୁଃସାହସିକ ପ୍ରଦର୍ଶନ କରିଥିଲେ । ଅଗ୍ନିଶମ ବିଭାଗ ଦ୍ବାରା ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା । ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ବିଷୟବସ୍ତୁ କୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରବନ୍ଧ ପ୍ରତିଯାଗିତାରେ ଅର୍ପିତା ଚୌଧୁରୀ, ଭିଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସୌମ୍ୟ ରଞ୍ଜନ ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆସ୍କା ଦ୍ବିତୀୟ ଓ ଶୋଭନା ସ୍ବାଇଁ କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ, ହୁଗୁଳାପଟା ତୃତୀୟ ସ୍ଥାନ ଅଧିାର କରି ପୁରସ୍କୃତ ହୋଇଥିଲେ । ବକୃତା ପ୍ରତିଯୋଗିତାରେ ଜିନା ଗୌଡ, ଆର୍.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମନାଭପୁର ପ୍ରଥମ, ସ୍ପନ୍ଦନ କୁମାର ତ୍ରିପାଠୀ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ୍ ବ୍ରହ୍ମପୁର ଦ୍ବିତୀୟ ସ୍ଥାନ ଓ ଅଙ୍କିତା ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର-୨ ତୃତୀୟ ସ୍ଥାନ ଅଧିାର କରି ପୁରସ୍କୃତ ହୋଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସସ୍ମିତା ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁ ପ୍ରଥମ ସ୍ଥାନ, ଶୁଭମ୍ ତ୍ରିପାଠୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟ, ଲାଞ୍ଜିପଲ୍ଲୀ ଦ୍ବିତୀୟ ସ୍ଥାନ ଓ ମୁକେଶ ସାହୁ ଅନସ୍ଳୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିାର କରି ପୁରସ୍କୃତ ହୋଇଥିଲେ ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ମଞ୍ଚାସୀନ ଥିଲା ବେଳେ ଜିଲ୍ଲା ପରିଯୋଜନା ଅଧିକାରୀ ଅବନୀକାନ୍ତ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଛତ୍ରପୁରସ୍ଥ ସମସ୍ତ ମହାବିଦ୍ୟାଳୟ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍.ସି.ସି., ସ୍କାଉଟ୍, ସ୍ବୟଂ ସିଦ୍ଧା ଗୋଷ୍ଠୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ