କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ
ନିମାପଡା, (ସନ୍ତୋଷ ଦାଶ):ହିନ୍ଦୁ ଧର୍ମ ରେ କାର୍ତ୍ତିକ ମାସ କୁ ଧର୍ମ ମାସ ବୋଲି କୁହାଯାଏ। ଚତୁର୍ମାସ୍ୟା ର ଶେଷ ମାସ ହେଉଚି କାର୍ତ୍ତିକ ମାସ।ଏହି ମାସ ଠାରୁ ଦେବତତ୍ବ ମଜଭୁତ ହେଇଥାଏ। ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ଅତିପ୍ରିୟ ମାସ ହେଉଛି କାର୍ତ୍ତିକ।ତେଣୁ ନିଷ୍ଠାର ସହ ବିଷ୍ଣୁ ଓ ମହାଲକ୍ଷ୍ମୀ ଙ୍କୁ ପୂଜାକଲେ ଅତ୍ୟନ୍ତ ଶୁଭଫଳ ମିଳିଥାଏ।ଏହି ପୂଜା ହେଉଚି କାର୍ତ୍ତିକବ୍ରତ ।ଯାହାକୁ ସ୍ତ୍ରୀ ପୁରୁଷ ଉଭୟେ କାର୍ତ୍ତିକ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଅତ୍ୟନ୍ତ ନିଷ୍ଠା ର ସହ ପାଳନ କରନ୍ତି। କାର୍ତ୍ତିକ ମାସରେ ତିନି ଟି ବିଧି ଅତ୍ୟନ୍ତ ପୂଣ୍ୟ ଫଳ ପ୍ରଦାନ କରିଥାଏ। ପ୍ରାତଃ ସ୍ନାନ,ଦେବ ଦର୍ଶନ ଓ ହବିଷାନ୍ନ ଭକ୍ଷଣ।ଏହା ସହ ଜିତେନ୍ଦ୍ରିୟ ରହି,ସାଂସାରିକ ଆସକ୍ତି ରୁ ମୁକ୍ତ ରହିଲେ ଅଶେଷ ପୂଣ୍ୟ ସହ ସ୍ବର୍ଗ ପ୍ରାପ୍ତି ହୋଇଥାଏ ବୋଲି ବିଭିନ୍ନ ପୁରାଣ ରେ ବର୍ଣ୍ଣିତ ହୋଇଛି। କାର୍ତ୍ତିକ ବ୍ରତ ର କିଛି ନିର୍ଦ୍ଧିଷ୍ଟ ନିତି ନିୟମ ଅଛି।ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ପବିତ୍ର ନଦୀ ପୁଷ୍କରିଣୀ ରେ ସ୍ନାନ କରାଯାଏ। ଶ୍ଵେତ କିମ୍ବା ଲୋହିତ ବର୍ଣ୍ଣ ବସ୍ତ୍ର ପରିଧାନ କରି ଦେବ ଦର୍ଶନ କରାଯାଏ।ଅଁଳା,ଓସ୍ତ,ମାଳତୀ,ନିମ ଇତ୍ୟାଦି ବୃକ୍ଷ ରେ ଜଳ ପ୍ରଦାନ କରି ପ୍ରଦକ୍ଷିଣ କରାଯାଏ।ତାପରେ ତୁଳସୀ ଚଉରା ରେ ବୃନ୍ଦାବତୀଙ୍କୁ ଜଳ ଦେଇ ପଞ୍ଚ ବର୍ଣ୍ଣ ର ମୁରୁଜ ମଣ୍ଡଳ ଦିଆଯାଏ।କାର୍ତ୍ତିକ ବ୍ରତ ରେ ମୁରୁଜ ର ଏକ ବିଶେଷ ମହତ୍ତ୍ଵ ରହିଚି। କାର୍ତ୍ତିକ ମାହାତ୍ମ୍ୟ ରେ ବର୍ଣ୍ଣନା କରା ଯାଇଚି ଯେ ତୁଳସୀ ଚଉରା ମୂଳରେ ମୁରୁଜ ଦେଲେ, ମୁରୁଜ ର ପ୍ରତି ଏକ କଣିକା ର ପୂଣ୍ୟ ଫଳ ମିଳେ। ମୁରୁଜ ରେ ଅଙ୍କା ଯାଉଥିବା ଚିତ୍ର ସବୁ ହେଲା,- ଜଗନ୍ନାଥ, ବଳଭଦ୍ର,ସୁଭଦ୍ରା, ଲକ୍ଷ୍ମୀ ନାରାୟଣ, ରାଇଦାମୋଦର, ଶିବ ପାର୍ବତୀ,ଚାରି ଦ୍ବାରୀ (ଜୟ,ବିଜୟ,ସୁଶୀଳ,ଅତିଶୀଳ), ଅଁଳା,ମାଳତୀ, ତୁଳସୀ ଆଦି ବୃକ୍ଷ, ବିଭିନ୍ନଅଳଙ୍କାର,ଶାଢୀ,ରଥ,ଲିଶୁଣୀ,ପଦ୍ମଫୁଲ,ଶଙ୍ଖ,ଚକ୍ର।ଖନି ଜାଡି ନାମରେ ଦୁଇ ସ୍ତ୍ରୀ ଲୋକଙ୍କ ଚିତ୍ର ମଧ୍ୟ ଥାଏ।କପୋତ କପୋତୀ ଙ୍କ ଚିତ୍ର ମଧ୍ୟ ଅଙ୍କାଯାଏ। କିନ୍ତୁ ପଞ୍ଚୁକ ଆରମ୍ଭ ଦିନ କପୋତ କପୋତୀ ଙ୍କୁ ଖଇଲିଆ ରେ ବନ୍ଦାପନା କରି ଉଡେଇ ଦିଆ ଯାଏ। ସେମାନେ ରଥ ରେ ବସି ବୈକୁଣ୍ଠକୁ ଗମନ କରନ୍ତି।ସେହି ଦିନ ଠାରୁ ପଞ୍ଚୁକ ପାଞ୍ଚ ଦିନ ବଗଲା ବଗୁଲି ପୂଜା ପାଆନ୍ତି।ପୂର୍ଣ୍ଣକୂମ୍ଭ ବସାଯାଏ।ଚଉରା ପୂଜା ବହି ପଢାଯାଏ।ବହିରେ ଅନେକ ବିଷୟ ରେ ଗୀତ ଅଛି। ଶ୍ରୀକୃଷ୍ଣ ଙ୍କୁ ସର ଲବଣୀ ଖୁଆଇବା ଗୀତ, ମହାଦେବ, ନାରାୟଣ, ସୂର୍ଯ୍ୟ ଙ୍କ ଆଳତୀ ଗୀତ,ଦୋଳି ଝୁଲା ଗୀତ,ରାଇ ଦାମୋଦର ଙ୍କ କଉଡି ଖେଳ ଗୀତ,ବେଢାବୁଲା, ପୁଷ୍ପାଞ୍ଜଳି ଗୀତ,ଦଧି ମନ୍ଥନ ଗୀତ।ଭୋଗ ନୈବେଦ୍ୟ ଅର୍ପଣ କରାଯାଏ।ଧୁଆମୁଗ,ନଡିଆ,ଅଦା,କାକୁଡି,ଆଖୁ,କଦଳୀ,କରମଙ୍ଗା,ପିଜୁଳି,ଖଇ,ଶାକର ଇତ୍ୟାଦି ଭୋଗ ବଢାଯାଏ।ଗଣେଶ, ପାର୍ବତୀ,ମହେଶ, ବରୁଣ,କୁବେର,ଜୟ,ବିଜୟ, ପଞ୍ଚବୃକ୍ଷ,ସୁଶୀଳ,ଅତିଶୀଳ,ଇନ୍ଦ୍ର,ବିରଞ୍ଚି,କିର୍ତ୍ତୀମୁଖ,ପବନ, ରାଇ ଦାମୋଦର,ସୂର୍ଯ୍ୟ,କପୋତ, କପୋତୀ,ଖନି ,ଜାଡି ଙ୍କୁ ଭୋଗ ସମର୍ପଣ କରାଯାଏ।ଭୋଗ ପରେ ମିଠା ପାନ ସମର୍ପଣ କରାଯାଏ।କାର୍ତ୍ତିକ ବ୍ରତ ସମୟ ରେ ଖାଦ୍ୟ,ଆଚାର ବିଚାର, ବ୍ୟବହାର ରେ ସଂଯମତା ଏକାନ୍ତ ଆବଶ୍ୟକ। ଏଥିପାଇଁ କିଛି ବାରଣ ରହିଚି। କାର୍ତ୍ତିକ ମାସରେ ଆମିଷ, ପିଆଜ ରସୁଣ ସମ୍ପୁର୍ଣ୍ଣ ବାରଣ। କାର୍ତ୍ତିକ ମାସ ର ଗ୍ରହଣ କରାଯାଉଥିବା ଖାଦ୍ୟ ର ନାମ ହବିଷ୍ୟାନ୍ନ।ହବି ର ଅର୍ଥ ଘିଅ।ସ୍ବଛ୍ଛ ପାତ୍ର ରେ ପବିତ୍ର ଭାବରେ ଏହା ରନ୍ଧନ କରାଯାଏ।ଅରୁଆ ଭାତ ସହ ଏକ ସ୍ବତନ୍ତ୍ର ପ୍ରକାର ର ଡାଲମା। କଞ୍ଚାକଦଳୀ,ସାରୁ,କନ୍ଦମୂଳ,ଓଉ, ଅଦା, ନଡ଼ିଆ, ଗୁଆଘିଅ,ଗୋଟା ମୁଗ କିମ୍ବା ମୁଗ ଜାଇରେ ପ୍ରସ୍ତୁତ ଏହି ଡାଲମା ର ବାସ୍ନା ଓ ସ୍ବାଦ ଅତୁଳନୀୟ। ଏହି ମାସରେ ଅଗସ୍ତି ଶାଗ ଓ ସାରୁ ଶାଗ ଖିଆଯାଏ।ଦିନକୁ ଗୋଟିଏ ଥର ଭୋଜନ କରାଯାଏ।କାର୍ତ୍ତିକ ବ୍ରତ ଧାରୀ ମାନେ ଦିନ ବେଳେ ଶୋଇବା ସମ୍ପୁର୍ଣ୍ଣ ନିଷିଦ୍ଧ।ମନରେ ଖରାପ ଚିନ୍ତା, ମୁହଁ ରେ ଖରାପ କଥା କହିବା ଅନୁଚିତ।ରାଗ,ହିଂସା, ଇର୍ଷା,ଖରାପ କର୍ମ ଠାରୁ ନିଜକୁ ଦୂରେଇ ରଖାଯାଏ। ବ୍ରାହ୍ମଣ,ଦୁଃଖୀ, ଦରିଦ୍ର ଙ୍କୁ ଅନ୍ନ ବସ୍ତ୍ର ଦାନ ଦିଆଯାଏ।ସଂଧ୍ୟା ରେ ତୁଳସୀ ମାଳି ରେ ମହାପ୍ରଭୂଙ୍କ ନାମ ଜପ କରାଯାଏ।ତୁଳସୀ ମୂଳ ରେ ଘିଅଦୀପ ପ୍ରଜ୍ବଳନ କରାଯାଏ। ଏହାଛଡା ଆକାଶ ଦୀପ ବି ପ୍ରଜ୍ବଳନ କରିବା ବିଧି ରହିଚି।ଏହିଭଳି ଭାବରେ ଏକମାସ କାର୍ତ୍ତିକ ବ୍ରତ କରି କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନ କରାଯାଏ।କାର୍ତ୍ତିକ ବ୍ରତ ପାଳନ କରାଯିବା ପଛରେ ଧାର୍ମିକ ଦୃଷ୍ଟିକୋଣ ସହ ବଳିଷ୍ଠ ବୈଜ୍ଞାନିକ ଓ ସ୍ବାସ୍ଥ୍ୟ ସମ୍ପର୍କୀୟ ଭିତ୍ତିଭୂମି ରହିଚି।ତେଣୁ କାର୍ତ୍ତିକ ବ୍ରତ କେବଳ ବିଧବା ସ୍ତ୍ରୀ ଲୋକ ନୁହେଁ, ସମସ୍ତ ଧର୍ମ ପରାୟଣ ବ୍ୟକ୍ତି ପାଳନ କରିବା ଉଚିତ।


