ବୁଦ୍ଧଖୋଲ ମହୋତ୍ସବ : ଜାନୁଆରୀ ୨୭,୨୮ ଓ ୨୯

ବୁଗୁଡା, (ଅନିଲ କୁମାର ମହାରଣା):ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଆସନ୍ତା ୨୦୨୩ ଜାନୁୟାରୀ ୨୭, ୨୮ ଓ ୨୯ ତାରିଖ ତିନିଦିନ ଧରି ବୁଦ୍ଧଖୋଲ ମହୋତ୍ସବ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଅଛି। ନଭେମ୍ବର ୯ ତାରିଖ ଦିନ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେବା ସହ ସଭାର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ୨୦୨୩ ଜାନୁଆରୀ ୨୭, ୨୮ ଓ ୨୯ ତାରିଖ ତିନିଦିନ ପାଇଁ ବୁଦ୍ଧଖୋଲ ମହୋତ୍ସବ କରିବାକୁ ସଭାପତି ତଥା ମନ୍ତ୍ରୀ ଶ୍ରୀ ସାହୁ ପ୍ରସ୍ତାବ ଦେଇଥିଲେ। ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିସହ ଗତ କାର୍ତ୍ତିକ ମାସର ସମସ୍ତ ସୋମବାର ଓ ପୂର୍ଣ୍ଣିମା ଦିନ ଗୁଡିକରେ ପ୍ରବଳ ଜନ ସମାଗମ ହୋଇଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ଯେଉଁ ସବୁ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସାଧୁବାଦ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ବିଜେଡି ବ୍ଲକ ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ,ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବିଶ୍ୱମୋହନ ମିଶ୍ର, ନବର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ରାମଚନ୍ଦ୍ର ନାୟକ, ମନୋଜ କୁମାର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ବୈଠକରେ ଯୋଗଦେଇଥିଲେ। ଏହି ଅବସରରେ ସାହିତ୍ୟିକ ଚିତ୍ତରଞ୍ଜନ ଦାସଙ୍କ ଅନୁଦାନରେ ପାହାଚ ଆରମ୍ଭରେ ନିର୍ମାଣ ହୋଇଥିବା ତୋରଣକୁ ମାନ୍ୟବର ଶ୍ରମ ମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏଥିସହ ବୁଦ୍ଧଖୋଲ ଇକୋ ପାର୍କର ଅଗ୍ରଗତି ସମୀକ୍ଷା କରିବା ସହ ବୁଗୁଡା ବନାଞ୍ଚଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ