ଗରଦପୁର ବ୍ଲକରେ ମହାଦୁର୍ନୀତି ଅଭିଯୋଗ ମଧ୍ୟବିତ୍ତ ପରିବାର ମହାସଙ୍ଘ ପକ୍ଷରୁ ଦାବିପତ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଥିବା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଙ୍ଘ ଅଭିଯୋଗ କରିଛି । ସେଠାକାର ସ୍ଥାନୀୟ ପ୍ରଶାସନ ସ୍ଥାଣୁ ଓ ନିଷ୍କ୍ରୀୟ ହୋଇଯାଇଥିବା ବେଳେ କେତେକ ମୁଷ୍ଟିମେୟ ରାଜନେତା ନିର୍ବାଚିତ ପ୍ରତିନିଧିମାନଙ୍କ ହାତବାରିସୀ ସାଜି ସରକାରଙ୍କ ଦ୍ୱାରା ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଲୋକାଭିମୁଖୀ ଯୋଜନାର ହେରଫେର କରି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଖର୍ଚ୍ଚ ଏବଂ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ବ୍ଲକ ଜନ ସୂଚନା ଅଧିକାରୀଙ୍କୁ ମଗାଗଲେ ସୁଦ୍ଧା ସମୟ ଅତିକ୍ରାନ୍ତ ପରେବି କୈାଣସି ଉତ୍ତର ମିଳୁନଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଘଣ୍ଟଘୋଡାଇବାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ମହାସଙ୍ଘ ଦାବି କରିଛି । ଗରଦପୁର ବ୍ଲକରେ ହୋଇଥିବା ସମସ୍ତ ଉନ୍ନୟନ କାର୍ଯ୍ୟର ସ୍ୱତନ୍ତ୍ର ଅଡିଟ କରାଯିବା ସହ ଏହି ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯାଇ ସ୍ୱଛ ଶାସନ ଓ ସ୍ୱଛ ପ୍ରଶାସନକୁ କ୍ରିୟାଶୀଳ କରାଯିବା ସହିତ ଦୁର୍ନୀତିରେ ଲିପ୍ତଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଦୁର୍ନୀତିକୁ ସମର୍ଥନ କରୁଥିବା ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ବିରୋଧରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମହାସଙ୍ଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ସମ୍ପାଦକ ଆଶିଷ ବେହେରା, ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମର ମହାପାତ୍ର, ଧନେଶ୍ୱର ପଟ୍ଟନାୟକ, ମାଧବ ରଥ, ନିରଞ୍ଜନ ଶତପଥୀ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ ।