ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୨ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ବୁଧବାର ପାଳିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେ ଏଥିରେ ସଭାପତିତ୍ୱ କରିବା ସହ ଆୟୋଜିତ “ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଆଲୋଚନାଚକ୍ରର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଗଣମାଧ୍ୟମର ସକାରାତ୍ମକ ସମାଲୋଚନା ଉତ୍ତମ ସେବା ପ୍ରଦାନ କ୍ଷେତ୍ରରେ ପ୍ରଶାସନକୁ ପ୍ରୋତ୍ସାହିତ କକରିଥାଏ । ଏଣୁ ପ୍ରଶାସନ ଓ ଗଣମାଧ୍ୟମ ଗୋଟିଏ ଟିମ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ମତ ଦେଇଥିଲେ । ବାଲେଶ୍ୱର ଉପ-ଜିଲ୍ଲାପାଳ କୁନାଲ ଚୌହାନ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ସତ୍ୟ ଖବର ପ୍ରକାଶନ ଦ୍ୱାରା ଗଣମାଧ୍ୟମ ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିଛି । ତେବେ ଗଣମାଧ୍ୟମ ପ୍ରତିନିଧିମାନେ ସମାଜର ହିତ ସାଧନ ଓ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବାରେ ବ୍ରତୀ ରହିବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଥିଲେ । ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରୀପାଠି ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନିରପେକ୍ଷ ଓ ସତ୍ୟ ସମ୍ବାଦ ପ୍ରକାଶ ତଥା ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଖବର ସଂଗ୍ରହ ଓ ପ୍ରସାରଣ କରିବାର ଆବଶ୍ୟକତା ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ, ସତ୍ୟପ୍ରିୟ ମହାନ୍ତି, ଶିବଦାସ କୁଣ୍ଡୁ, ବ୍ରହ୍ମାନନ୍ଦ ସ୍ୱାଇଁ, ମାନସ ବିଶ୍ୱାଳ ପ୍ରମୁଖଙ୍କ ସମେତ ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ସମାଜସେବୀ ଜନତ ହୁସେନ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ଶୀର୍ଷକ ସମ୍ପର୍କିତ ମତାମତ ରଖିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଜାତୀୟ ପ୍ରେସ ପ୍ରାକ ସୂଚନା ପ୍ରଦାନ ସହ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ