ଶିକ୍ଷକ ହତ୍ୟା ଘଟଣାକୁ ୪ଦିନ ବିତିଲା, ପୁଲିସକୁ ସୁରାକ ମିଳୁନି
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୪ଦିନ ବିତିଯାଇଥିଲେବି ପୁଲିସକୁ କୌଣସି ଠୋସ ସୁରାକ ମିଳିପାରି ନାହିଁ । ବିଶେଷକରି ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ଦୁର୍ବୁତକୁ ଠାବ କରିବାରେ ପୁଲିସ ବିଫଳ ହୋଇଥିବାବେଳେ ସ୍କୁଟିକୁ ଖୋଜିବାପାଇଁ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିବାପରେ ସଢ଼ା ନିକଟସ୍ଥ କେନାଲରେ ସ୍କୁଟିଟି ପଡିଥିବା ଅନୁମାନ କରାଯାଉଛି । ଜଣେ ପ୍ରତେକ୍ଷଦର୍ଶୀଙ୍କ ସୁଚନା ଆଧାରରେ ଜଣେ ବ୍ୟକ୍ତି ସ୍କୁଟିଧରି ଆସିବାପରେ ଷ୍ଟାଟ ଅବସ୍ଥାରେ କେନାଲକୁ ଖସାଇ ଦେଇଥିଲା । ଆସନ୍ତାକାଲି କେନାଲରୁ ପାଣି କମାଇ ସ୍କୁଟିଟିକୁ ଠାବ କରିବା ପାଇଁ ଯୋଜନା କରୁଛି ପୁଲିସ ସୁଚନା ଦେଇଛି । ସେହିପରି ସନେ୍ଦହ ଘେରରେ ଥିବା ୫ଜଣବ୍ୟକ୍ତିଙ୍କୁ ଆଣି ଥାନାରେ ପଚରା ଉଚୁରା ଚଳାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି । ସେ ଗତ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କୁ ଏକ ଛୁରୀରେ ବିଭିନ୍ନ ସ୍ଥାନରେ ଆଘାତ କରି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପୁଲିସ ସେହିଦିନ ଠାରୁ ହତ୍ୟାକାରୀକୁ ଠାବ କରିବାପାଇଁ ଦିନରାତି ଏକ କରି ଦେଇଥିଲେବି ହତ୍ୟାକାରୀ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇବାରେ ବିଫଳ ହୋଇଛି ।