ବାଲିଆ ବାଣ ବିସ୍ପୋରଣ ଘଟଣା: ଆଉ ଜଣଙ୍କ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାଲିଆ ବାଣ ବିସ୍ପୋରଣ ଘଟଣାରେ କଟକ ବଡ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ଅନ୍ୟ ଜଣେ ପଡିତଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଜୟୀପୁରା ଗ୍ରାମର ପିଣ୍ଟୁ ଖାନ(୨୨) । ସେ ବିସ୍ପୋରଣରେ ଗୁରୁତ୍ତର ଆହତ ହୋଇ କଟକ ବଡ ଡାକ୍ତରଖାନାର ଆଇ.ସି.ୟୁ.ରେ ଚିକିତ୍ସିତ ହେଉଥିଲେ । ସଙ୍କଟାପନ୍ନ ଅବସ୍ଥାରେ ପିଣ୍ଟୁଙ୍କୁ ଭେଣ୍ଟିଲେଟରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଶୁକ୍ରବାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ବୁହାଳ ଗ୍ରାମର ଉଦୟ ନାଥ ଭୋଇଙ୍କର କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ସୋମବାର ଅପରାହ୍ନରେ ପିଣ୍ଟୁଙ୍କ ଶବ କେନ୍ଦ୍ରାପଡାରେ ପହଞ୍ଚିବା ପରେ ବସ୍ତିବାସିନ୍ଦାଙ୍କ ସମେତ ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପିଣ୍ଟୁଙ୍କ ଶବକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଆଣି କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଶବକୁ ରଖି ପିଣ୍ଟୁ ପରିବାରକୁ କ୍ଷତିପୁରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଦୁର୍ଗା ପ୍ରସାଦ ମହାରଣା ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେଶ ଚନ୍ଦ୍ର ପାଣ୍ଡେ, ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ଘେରାଉରେ ସାମିଲ ଥିବା ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପି ନେତା ମହମ୍ମଦ ସଲିମ ଖାନ, ଶ୍ରମିକ ନେତା ମୁକ୍ତାର ଖାଁ, ସେକ ଚାନ୍ଦ, ସେକ ବୁରହାନ, ସାବିର ଖାନ, ମୃତକର ପିତା ସେକ ଅଲିରୁଦ୍ଦିନ(ଜୁମା)ଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ଚାମ୍ବରରେ ଆଲୋଚନା କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ ଓ ଶ୍ରୀ ମହାରଣା ଘେରାଉ ସ୍ଥଳକୁ ଆସି ଆଲୋଚନା ସମ୍ପର୍କରେ କହିବା ସହିତ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏଥିସହିତ ପୈାରସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ ୧୫ହଜାର ଟଙ୍କା ଓ ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ ନିଜସ୍ୱ ପାଣ୍ଠିରୁ ୧୫ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାପରେ ମୃତକର ଶବକୁ ସେଠାରୁ ଉଠାଇନେଇ ଘେରାଉ କରିଥିବା ବସ୍ତିବାସିନ୍ଦାମାନେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଚାଲିଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘେରାଉ ସ୍ଥଳରେ ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ,ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ସେକ ରହେମତ, ସେକ କରିମ, ସେକ ନିଖନି ପ୍ରମୁଖ ଧାରଣାକାରୀଙ୍କୁ ବୁଝାଶୁଝା କରୁଥିବା ବେଳେ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ, ଏସ.ଆଇ. ରତିକାନ୍ତ ନାୟକ, ଟାଉନ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନ ପ୍ରମୁଖ ପୋଲିସ ଫୋର୍ସ ସହିତ ଉପସ୍ଥିତ ରହି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ