ବାଲେଶ୍ୱରରେ ଗଡ଼ିଲା ଭୋଟର ସଚେତନତା ରଥ
ବାଲେଶ୍ୱର, (ସରୋଜ ପଣ୍ଡା):ନୂତନ ଭୋର ପଞ୍ଜୀକରଣ ଓ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟତାଲିକା ସଂଶୋଧନ ସମ୍ପର୍କରେ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଭୋଟର ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତଥା ଜିଲା ନିର୍ବାଚନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ (ସାଧାରଣ) ନୀଲୁ ମହାପାତ୍ର ଓ ଅତିରିକ୍ତ ଜିଲାପାଳ (ରାଜସ୍ୱ) ସୁଚାରୁ ବଳ ମିଳିତ ଭାବେ ପତକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ନୂତନ ଭୋଟର ଆସନ୍ତା ୨୦୨୩ ମସିହା ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୭ ବର୍ଷ ପୂର୍ଣ୍ଣ ହେବାକୁ ଯାଉଥିବା ଯୁବକ ଯୁବତୀଙ୍କ ପାଇଁ ଏହା ଏକ ସୁଯୋଗ ବୋଲି ଅଧିକାରୀ ଦ୍ୱୟ କହିଥିଲେ । ଏବେଠାରୁ ସମ୍ପୃକ୍ତ ଯୁବକ ଯୁବତୀମାନେ ଭୋଟର ତାଲିକାଭୁକ୍ତ ହେବା ପାଇଁ ଆବେଦନ କରିପାରିବେ । ୧୮ ବର୍ଷ ହେବାକ୍ଷଣି ସେମାନଙ୍କ ନାମ ଭୋଟର ତାଲିକାଭୁକ୍ତ ହୋଇଯିବ ବୋଲି ଦୁଇ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି । ତେବେ ଏହି ରଥ ନୂତନ ଭୋଟରଙ୍କ ସମେତ ସଂଶୋଧନ ଆବେଦନକାରୀଙ୍କ ପାଇଁ ବେଶ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଅତିରିକ୍ତ ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ସହକାରୀ ଜିଲ୍ଲାପାଳ ସ୍ୱାଗତିକା ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରମାନେ ଭୋଟର ସଚେତନତା ରଥ ପରିକ୍ରମା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ‘ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩’ଗତ ୦୯/୧୧/୨୦୨୨ ଠାରୁ ଜାରି ରହିଥିବା ବେଳେ ଏହା ୦୮/୧୨/୨୦୨୨ ପର୍ଯ୍ୟନ୍ତ ଚାଲିବ । ଏହି ସମୟ ମଧ୍ୟରେ ତାଲିକା ସଂଶୋଧନ ଓ ନୂତନ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।


