ଚିଙ୍ଗୁଡ଼ିଘେରୀ ଯୋଗୁଁ ଚାଷଜମିରେ ମାଡ଼ୁଛି ଲୁଣାପାଣି

ବାଲେଶ୍ୱର, (ସରୋଜ ପଣ୍ଡା):ଚାଷଜମିରେ ଚିଙ୍ଗୁଡ଼ି ଘେରୀ ଲୁଣାପାଣି ମାଡ଼ିଯିବା ଫଳରେ ହୋଇଥିବା କ୍ଷତି ଭରଣା ଦାବି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସଦର ବ୍ଲକ ସାର୍ଥା ପଞ୍ଚାୟତ ଆଳୁମେଦା ଅଞ୍ଚଳର କ୍ଷୁଦ୍ରଚାଷୀ କୈଳାସ ଦାସ । ତାଙ୍କ ଆପତ୍ତି ଅନୁସାରେ ମାତ୍ର ଦେଢ଼ ଏକର ଜମିରେ ଚାଷ ସହ ଅନ୍ୟାନ୍ୟ ମୂଲମଜୁରି କରି ପରିବାର ଚଳାନ୍ତି ସେ । ତାଙ୍କ ଜମି ଓ ଘର ପାଶ୍ୱର୍ରେ କେତେକ ଚିଙ୍ଗୁଡ଼ିଚାଷୀ ନାଳ ଖୋଳିବା ଯୋଗୁଁ ଲୁଣାପାଣି ଆଣିବା ଫଳରେ ତାଙ୍କର ଚାଷ କ୍ଷତି ହେବା ସାଙ୍ଗକୁ ନାଳ ଅପର ପାଶ୍ୱର୍ରେ ଥିବା ସରକାରୀ ନଳକୂପରୁ ପାନୀୟ ଜଳ ସଂଗ୍ରହ କରିବାରେ ତାଙ୍କ ପରିବାର ନାନାବିଧ ସମସ୍ୟା ସାମ୍ନା କରୁଥିବା ସେ କହିଛନ୍ତି । ନାଳ ଖୋଳିଥିବା ଚିଙ୍ଗୁଡ଼ି ଘେରୀ ମାଲିକଙ୍କୁ ଏ ବାବଦରେ କିଛି କହିବା ଯୋଗୁଁ ସେମାନେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ନାନା ଅଶ୍ଳୀଳ ଗାଳିଗୁଲଜ ଦେବା ସହ ମାଡ଼ ମାରିବାର ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏ ବାବଦରେ ସ୍ଥାନୀୟ ଆରଆଇ, ସଦର ତହସିଲଦାରଙ୍କୁ ଆପତ୍ତି ଜଣାଇବା ସହ ଥାନାରେ ଏତଲା ଦେଇଥିଲେ ବି ତାଙ୍କୁ ନ୍ୟାୟ ମିଳିନି କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି କୈଳାସ ଦାସ କହିଛନ୍ତି । ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ