ସର୍ବୋଦୟ ମଣ୍ଡଳ ସାଂଗଠନିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସର୍ବୋଦୟ ମଣ୍ଡଳ ବାଲେଶ୍ୱର ଜିଲା ଶାଖାର ସାଂଗଠନିକ ବୈଠକ ଗୋପାଳଗାଁ ସ୍ଥିତ ଓଏସିସି କଲେଜ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ସାହୁ ଏଥିରେ ସଭାପତିତ୍ୱ କରିଥିଲେ । ସର୍ବୋଦୟ ମଣ୍ଡଳର ରାଜ୍ୟ ସମ୍ପାଦକ ରମାକାନ୍ତ ମଣ୍ଡଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ ସହ ଜିଲା କମିଟିର ପୁନର୍ଗଠନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ମଣ୍ଡଳର ଜାତୀୟ କର୍ମକର୍ତ୍ତା ତଥା ଅନ୍ତର୍ଦୋୟ ଚେତନା ମଣ୍ଡଳୀର ମୁଖ୍ୟ ସମାଜସେବୀ ଆଦିତ୍ୟ ପଟ୍ଟନାୟକ, ସ୍ୱେଚ୍ଛାସେବୀ ସଂଗଠନ ଲୋକଶକ୍ତିର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ରାୟ, ମିଳିତ ନିଶା ନିବାରଣ ଅଭିଯାନର ଜିଲା ସମ୍ପାଦିକା ମମତା ମହାପାତ୍ର, ସମାଜସେବୀ ହିମାଂଶୁ ଶେଖର ଦାସ, ମହିଳା ସଂଗଠନ ‘ନାଓ’ର ଜିଲା ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ସର୍ବୋଦୟ ମଣ୍ଡଳର ଉଦ୍ଦେଶ୍ୟ ଓ ସମାଜସେବା ଭିତ୍ତିକ କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀ, ମହାନ ଜନନାୟକ ଜୟପ୍ରକାଶ ନାରାୟଣ ଓ ବିନୋବା ଭାବେଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସାଧୁ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମଣ୍ଡଳର ସଦସ୍ୟ ତଥା କର୍ମକର୍ତ୍ତାଙ୍କ ମଧ୍ୟରେ ସର୍ବୋଦୟ ଚିନ୍ତା ଓ ଚେତନାକୁ ଜାଗ୍ରତ ହେବା ଏକାନ୍ତ ବାଞ୍ଛନୀୟ ବୋଲି ସେମାନେ କହିଥିଲେ । ବିଶେଷ କାର୍ଯ୍ୟଧାରା ମାଧ୍ୟମରେ ସର୍ବୋଦୟ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବକ୍ତାମାନେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହୀ, ଅଖିଳ କୁମାର ଦାସ, ନାମଦେବ କାମିଳା, ବିଜୟାରାଣୀ ଭୁୟାଁ, ଗୟାଧର କର, କବିତା ରାଣୀ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସର୍ବୋଦୟ ମଣ୍ଡଳ ଜିଲା କମିଟିର ପୁନର୍ଗଠନ କରାଯାଇଥିଲା । ସର୍ବସମ୍ମତ୍ତି କ୍ରମେ ଜ୍ୟୋତିର୍ମୟୀ ପଟ୍ଟନାୟକ ଜିଲା ସଭାନେତ୍ରୀ, ହିମାଂଶୁ ଶେଖର ଦାସ ସମ୍ପାଦକ, କବିତା ଦାସ ଓ ନାମଦେବ କାମିଳାଙ୍କୁ ସହ-ସମ୍ପାଦକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସେହିପରି ସର୍ବୋଦୟ ମଣ୍ଡଳର ବାଲେଶ୍ୱର ଜିଲା ଆବାହକ ତଥା ‘ସାହାରା’ର ସମ୍ପାଦକ ବିପ୍ଳବ କୁମାର ମହାନ୍ତି, ସମାଜସେବୀ ରବୀନ୍ଦ୍ର କୁମାର ରାୟ, ମମତା ମହାପାତ୍ର, ଗୌରାଙ୍ଗ ପାଣିଗ୍ରାହୀ ଓ ଓଏସିସ୍ କଲେଜର ଅଧ୍ୟକ୍ଷ ସଂଜୟ ସାହୁଙ୍କୁ ଉପଦେଷ୍ଟା ମଣ୍ଡଳୀରେ ଅବସ୍ଥାପିତ କରାଯାଇଥିଲା । ଆବାହକ ଶ୍ରୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ମଣ୍ଡଳର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଯଶୋଦା ନନ୍ଦନ ଆଶଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ