ସ୍କୁଲ ଭିତରେ ମଳ ବର୍ଷା ଘଟଣା : ଅଙ୍ଗନବାଡି କେନ୍ଦ୍ରରେ ଚାଲିବ ପାଠପଢା
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣା ଥମିବାର ନାଁ ନଉନି । ବାରମ୍ବାର ଛାତ୍ରଛାତ୍ରୀ, ଅଭିଭାବକଙ୍କ ଉପରେ ମଳ ଛିଟା ପଡୁଥିବା ବେଳେ ଗୁରୁବାର ଗ୍ରାମର କିଛି ବ୍ୟକ୍ତିଙ୍କ ଘରେ ମଧ୍ୟ ଏଭଳି ଘଟଣା ଘଟିଥିବା ଅଭିଯୋଗ ହେଉଛି । ଗତ ଶୁକ୍ରବାର ଦିନ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ପଂଚାୟତର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ଛିଟା ପଡୁଥିବା ଅଭିଯୋଗ ହେବା ପରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର ଓ ବିପୁଳିଙ୍ଗି ସିଆରସିସି ସିମାଂଚଳ ଗୌଡ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଏନେଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଦ୍ୱାରା ସୋମବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ପଂଚାୟତର ତୁଡୁକପଲ୍ଲୀ ଗ୍ରାମରେ ଥିବା ସ୍କୁଲରେ ପହଂଚି ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲେ । ଏହା ସହ ସ୍କୁଲର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ରାସ୍ତାରେ ପଡିଥିବା ମଳ ଛାତ୍ରଛାତ୍ରୀ ମାନଙ୍କ ଡ୍ରେସରେ ଲାଗିଥିବା ନେଇ କହିଥିଲେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । କିନ୍ତୁ, ବୁଧବାର ଏହାର ପୁନରାବୃତ୍ତି ଘଟିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଣ୍ଡା ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇବା ପରେ ସ୍କୁଲକୁ ଦିନ ଦୁଇଟା ପରେ ଛୁଟି କରିଦିଆଯାଇଥିଲା । ଏହା ସହ କିଛି ଦିନ ପାଇଁ ଏଠାରେ ପାଠ ପଢୁଥିବା ପିଲାମାନଙ୍କୁ ନିକଟରେ ଥିବା ଲୋକନାଥପୁର ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିବା ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ । ଅନ୍ୟ ପକ୍ଷରେ ଏନେଇ ଗ୍ରାମବାସୀ ଏବଂ ଅଭିଭାବକ ମାନେ ରାଜି ହେଉନଥିବାରୁ ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷୟତ୍ରୀ ଏବଂ ବିପୁଳିଙ୍ଗି ସିଆରସିସି ପ୍ରମୁଖ ଗ୍ରାମବାସୀ ଏବଂ ଅଭିଭାବକ ମାନଙ୍କୁ ବୁଝାସୁଝା ମଧ୍ୟ କରିଥିଲେ । ତେବେ ଗୁରୁବାର ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ର, ବିପୁଳିଙ୍ଗି ସିଆରସିସି ସିମାଂଚଳ ଗୌଡ ପ୍ରମୁଖ ପହଂଚି ଘଟଣାର ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ଗ୍ରାମବାସୀ ଲୋକନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କୁ ଛାଡିବାକୁ ଅମଙ୍ଗ ହେଉଥିବାରୁ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ପିଲାଙ୍କ ପାଠ ପଢା ଚାଲୁ ରହିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ଛତ୍ରପୁର ବ୍ଲକର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ପଡୁଥିବା ସହ ମଧ୍ୟାହ୍ନ ଭୋଜନରେ ମଧ୍ୟ ମଳଛିଟା ପଡୁଥିବା ଅଭିଯୋଗ ହୋଇ ଆସୁଥିଲା । ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ମଧ୍ୟ ସ୍କୁଲକୁ ଯିବା ପାଇଁ ଭୟ କରୁଥିଲେ । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା ।


