ହସ୍ତତନ୍ତ କାରିଗରଙ୍କ ଶିଳ୍ପ ସାମଗ୍ରୀ ବିକ୍ରିବଟା ସହିତ କଳାକାରଙ୍କ କଳା ପ୍ରଦର୍ଶନ ସୁଦୂର ପ୍ରସାର ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଗୋପାଳପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ ବେଳାଭୂମି ମହୋତ୍ସବ ଅଧିକ ଆକର୍ଷଣୀୟ ହେବ । ଚଳିତ ବର୍ଷର ପଲ୍ଲୀଶ୍ରୀ ମେଳାରେ ମିଶନ ଶକ୍ତିର ହସ୍ତତନ୍ତ କୁଟୀର କଳାକାର ମାନଙ୍କ ହାତ ତିଆରି ସାମଗ୍ରୀ, ଘରେଇ ବ୍ୟବହୃତ ସାମଗ୍ରୀ ଯେଭଳି ବିପୁଳ ପରିମାଣରେ ପ୍ରଦର୍ଶନ ହେବ ଏବଂ ସେଗୁଡିକ କିଭଳି ବିକ୍ରିବଟା ହେବ ସେଥି ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହାରି ଫଳରେ ଘରୋଇ କୁଟୀର ଶିଳ୍ପ କାରିଗର ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଅନେକ ପରିମାଣରେ ଲାଭାନ୍ଵିତ ହୋଇପାରିବେ । ବିଗତ ଦୁଇ ବର୍ଷର ବ୍ଯବଧାନ ପରେ ଚଳିତ ବର୍ଷ ଏହି ମହୋତ୍ସବ ଆୟୋଜନ ହେଉଛି । ଏଣୁ ଗଞ୍ଜାମବାସୀଙ୍କ ସମେତ ବାହାର ଜିଲ୍ଲା ଓ ରାଜ୍ୟରୁ ଅନେକ ଦର୍ଶକ ଆସିବେ, ଏବଂ ପ୍ରବଳ ଜନ ଗହଳି ହେବ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁବିଧା ନିମନ୍ତେ ସମସ୍ତ ପଦକ୍ଷେପ ମାନ ଗ୍ରହଣକରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ପ୍ରଥମ ଓ ଦ୍ଵିତୀୟ ପ୍ରସ୍ତୁତି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ଯାତାୟାତ ଠାରୁ ଆରମ୍ଭ କରି ସେମାନେ କିଭଳି ମନୋରଞ୍ଜନ କରି ଉତ୍ସବର ମଜାନେବେ, ସେଥିସକାଶେ ସମସ୍ତ ଅଧିକାରୀ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ପଲ୍ଲିଶ୍ରୀ ମେଳା , ମୀନା ବଜାର, ଫୁଡ୍ କୋର୍ଟ, ବିଜୁ ମନୋରଞ୍ଜନ ପାର୍କ, ପ୍ରଦର୍ଶନୀ ପ୍ରଭୃତି ହେବ । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ଲୋକକଳା ପରିବେଷଣ ସକାଶେ ସ୍ଵତନ୍ତ୍ର ମଞ୍ଚ ହେବ । ସେଥିରେ ଏହି ଲୋକକଳା ପ୍ରଦର୍ଶନୀ ସକାଶେ କଳାକାର ମାନଙ୍କୁ ଅଧିକ ସମୟ ଦିଆଯିବ । ସ୍ଥାନୀୟ ଅନୁଷ୍ଠାନର କଳାକାର ଗଣ ମଧ୍ୟ ସେମାନଙ୍କ କଳା ପ୍ରଦର୍ଶନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ