କେ.ନୂଆଗଡ଼ରେ ଗୋ-ବନ୍ଧ୍ୟା ନିରାକରଣ ଶିବିର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତ ଅନ୍ତର୍ଗତ କେ.ନୂଆଗଡ଼ ଗ୍ରାମରେ ଏକ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ାକ୍ତର ରାକେଶ କୁମାର ପତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଗୋ-ବନ୍ଧ୍ୟା ନିରାକରଣ ଶିବିରରେ ଗାଙ୍ଗପୁର ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଅବିନାଶ ସାହୁ ଏବଂ ଗୋବରା ପ୍ରାଣୀଧନ ନୀରିକ୍ଷକ ପ୍ରଫୁଲ୍ଲ କୁମାର ପୋଲାଇ ଉପସ୍ଥିତ ରହି ଗାଈଗୋରୁମାନଙ୍କର ଚିକିତ୍ସା କରିଥିଲେ I ଏହି ଶିବିରରେ ୪୪ ଟି ଗାଈଗୋରୁଙ୍କୁ ଚିକିତ୍ସା କରାଯାଇଥିଲା I କାର୍ଯ୍ୟକ୍ରମରେ କେ.ନୂଆଗଡ଼ ଦୁଗ୍ଧ ସମବାୟ ସମିତି ସମ୍ପାଦକ ଜଗନ୍ନାଥ ଜେନା ସହଯୋଗ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଲକ୍ ର ବିଭିନ୍ନ ଗ୍ରାମରେ ଗୋରୁଗାଈ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏନେଇ ବିଭିନ୍ନ ଗ୍ରାମରେ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବା ଡ଼ାକ୍ତର ପତି ସୂଚନା ଦେଇଛନ୍ତି I ଡ଼ାକ୍ତର ପତିଙ୍କ ସୂଚନା ପ୍ରକାରେ ମୂଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ମାଧ୍ୟମରେ ସମଗ୍ର ବେଲଗୁଣ୍ଠା ବ୍ଳକ୍ ରେ ଚର୍ମବିଣ୍ଡି ରୋଗର ପ୍ରତିଷେଧକ ରୂପେ ଗୋଟ୍ ପକ୍ସ ଟୀକାକରଣ କାର୍ଯ୍ୟକ୍ରମ ଚାଲିଛି I


