ଭୋକ ମେଂଟେଇବା ପାଇଁ ବୃଦ୍ଧାବୃଦ୍ଧି ବୟସରେ ଭିକ ମାଗୁଛନ୍ତି ,କାହା ପାଇଁ ସରକାରଙ୍କ ସହାୟ ଯୋଜନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଧୁନିକତାର ସହ ପାଦ ଦେଇ ବିଭିନ୍ନ ଯୋଜନା ଜରିଆରେ ଅଞ୍ଚଳର ବିକାଶ ଜାରି ରହିଛି।କିନ୍ତୁ ଅସହାୟ ଶିବା ନାଗବଂସ,ଗାସିଆଣୀ ନାଗବଂସ ଓ ମିନି ଅସହ୍ୟ ଥଣ୍ଡାରେ ଦୋକାନ ବାରଣ୍ଡାରେ ରାତି କାଟୁଥିବା ଦେଖିବାକୁ ମିଳିଛି।ଅସହ୍ୟ ଶୀତକାକର ମଧ୍ୟରେ ପେଟ ଛାଖେଣ୍ଡେ ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ଏହି ତିନି ଅସହାୟ। ହାତ ନ ପାତିଲେ ଦୁଇଓଳି ଭୋକ ଉପାସରେ ରହିବାକୁ ପଡ଼ିଥାଏ।ସରକାର ଏଭଳି ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଥଇଥାନ କରିବା ନିମନ୍ତେ କୋଟି କୋଟି ଟଙ୍କା ସହାୟ ଯୋଜନାରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବରେ ଏହି ଯୋଜନା କେତେଦୂର ଫଳପ୍ରଦ ହେଉଛି ତାହାର ବାସ୍ତବ ଚିତ୍ର ଏମାନଙ୍କୁ ଦେଖିଲେ ସହଜରେ ଅନୁମେୟ।ସୂଚନା ଅନୁସାରେ ପଡ଼ୋଶୀ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର କୁଜେନ୍ଦ୍ରୀ ଗ୍ରାମର ଶିବା ନାଗୋବଂସ(୬୪),ଗାସିଆଣୀ ନାଗୋବଂସ(୫୨) ଓ ମିନି (୫୭) କିଛି ମାସ ହେଲା ଗୁମ୍ମା ଅଞ୍ଚଳର ଗୁମ୍ମା,ଗାଇବା,ସେରଙ୍ଗ ଓ କଳାକୋଟ ବିଭିନ୍ନ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି। ଘରକୁ ଘର ଯାଇ ଭିକ୍ଷାବୃତ୍ତି କରୁଥିବା ବେଳେ ଯଦି କୌଣସି ସହୃଦୟ ବ୍ୟକ୍ତି ଯାହା ଦିଏ ସାହାଯ୍ୟ ପାଏ ଆଉ କେହି ଦେଖି ମଧ୍ୟ ଅଣଦେଖା କରି ଉକ୍ତ ପରିଣତ ବୟସ୍କ ବୃଦ୍ଧାବୃଦ୍ଧିଙ୍କୁ ମୁହଁ ମୋଡ଼ି ଦିଅନ୍ତି।ନିଜ ଅଞ୍ଚଳରେ ଭିକ ମାଗିବା ଫଳରେ ସମାଜର ଲାଞ୍ଚନା ଓ ନିନ୍ଦାକୁ ଶୟ ନକରି ଅନ୍ୟ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଶିବା କହିଛନ୍ତି। ରାଜ୍ୟକୁ ଭିକାରି ମୁକ୍ତ କରିବା ପାଇଁ ସରକାର ହାତକୁ ନେଇଛନ୍ତି ସତନ୍ତ୍ର କାର୍ଯ୍ୟକ୍ରମ ‘ସହାୟ’।ଅସହାୟ ଏକୁଟିଆ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ଥଇଥାନ କରିବା ହେଉଛି ସହାୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।କିନ୍ତୁ ବାସ୍ତବରେ ଉକ୍ତ ଭିକ୍ଷୁକଙ୍କୁ ଦେଖିବା ପରେ ସରକାରଙ୍କ ସହାୟ ଯୋଜନା ସତେ ଯେମିତି ଭିକ୍ଷୁକଙ୍କ ପାଇଁ ଅସହାୟ ପାଲଟି ଯାଇଛି। ସରକାରଙ୍କ ଯୋଜନା ଯେ ଏପରି ସମ୍ବେଦନଶୀଳ ବ୍ୟକ୍ତିଙ୍କ ପରିବାରକୁ ଭିକ୍ଷାବୃତ୍ତିରୁ ଦୂରେଇ ଦେବ ତାହା ନୁହେଁ ବରଂ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ବିଭିନ୍ନ ଆଳରେ ଟଙ୍କା ଖର୍ଚ୍ଚ କରିବା ବଦଳରେ ଅସହାୟ ପରିବାରକୁ ସାହଯ୍ୟ କରିବା ଦ୍ଵାରା ଭିକ୍ଷାବୃତ୍ତି ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


