ହତ୍ୟା ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡାଦେଶ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଂଚଳରେ ଗତ ୨୦୨୧ ଫେବୃଆରୀ ୧୧ ତାରିଖ ରେ ଘଟିଥିବା ଏକ ହତ୍ୟାକାଣ୍ଡ ର ଅଭିଯୁକ୍ତ ଜଣଙ୍କୁ ନିମାପଡ଼ା ଅତିରିକ୍ତ ଦୌରାଜଜ୍ ଲୋକନାଥ ସାହୁ ଆଜୀବନ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଛନ୍ତି।ଜୋରିମାନା ଅନାଦେୟ ଅଧିକ ୬ ମାସ କାରା ଦଣ୍ଡାଦେଶ ଶୁଣାଇଛନ୍ତି ।କୋର୍ଟ ର ଜିଆର କେସ ନମ୍ବର ୧୫୦/୨୧, ଏସ ଟି କେସ ନମ୍ବର ୧୦/୨୧ ର ବିଚାରକରି ବିଚାରପତି ଏହି ରାୟ ଦେଇଛନ୍ତି ।
ସୂଚନା ମୁତାବକ ନିମାପଡ଼ା ଥାନା ଅନ୍ତର୍ଗତ ହଂସପଡା ଗ୍ରାମର ତପନ ସାହୁ ୨୦୨୧ ଫେବୃଆରୀ ୯ ତାରିଖ ରେ ବିଲରୁ ଧାନତଳି ଆଣି ଏକ ସ୍କୁଟି ରେ ଘରକୁ ଫେରୁଥିଲେ ।ପୂର୍ବ ବିବାଦ କୁ କେନ୍ଦ୍ରକରି ଉକ୍ତ ଗ୍ରାମର ଦଇତାରୀ ବେହେରା କ୍ରୋଧାନ୍ୱିତ ହୋଇ ଗ୍ରାମ ନିକଟରେ ତପନ କୁ ଅଟକାଇ ଏକ କାଠ ଫାଳିଆ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତପନ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲ ରେ ଚିକିତ୍ସାଧିନ ଥିଲେ ।ଘଟଣାର ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ତପନ ଙ୍କ ଦାଦା ଦେବେନ୍ଦ୍ର ନାଥ ସାହୁ ସେହିଦିନ ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଏ ସମ୍ପର୍କରେ ଏକ ମାମଲା ( ନମ୍ବର ୫୩/୨୧) ରେ ରୁଜୁ କରି ଅଭିଯୁକ୍ତ ଦଇତାରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।ଏହି ମାମଲା ରେ ୧୬ ଜଣ ସାକ୍ଷୀ ଙ୍କ ସାକ୍ଷ୍ୟ ପ୍ରମାଣ କୋର୍ଟ ରେ ଦାଖଲ ହୋଇଥିବା ,୨୭ ଟି ଦସ୍ତାବିଜ୍ କୁ ବିଚାରକୁ ନେଇ ଏ ଡି ଜେ ଲୋକନାଥ ସାହୁ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ।ରାୟ ପ୍ରକାଶ ପାଇବା ସମୟରେ ଅଭିଯୁକ୍ତ କୋର୍ଟ ରେ ହାଜର ହୋଇଥିଲେ ।ଦଣ୍ଡାଦେଶ ପରେ ଅଭିଯୁକ୍ତ ବେହେରା ଙ୍କୁ ଜେଲ୍ କୁ ପଠାଇ ଦିଆଯାଇଛି।ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୀତାକାନ୍ତ ଦାସ ମାମଲା ପରିଚାଳନା କରୁଥିଲେ ।


