ଆଦର୍ଶ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଓ ବିକ୍ଷୋଭ
ହାଟଡିହି, (ବିକାଶ ବିଶ୍ୱାଳ):ବାଙ୍ଗୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଷ୍ଣୁ ଚରଣ ବୋଇତେଇଙ୍କ ବଦଳି ବାତିଲ ଦାବିରେ ଆଜି ବିଦ୍ୟାଳୟର ତିନିଶହରୁ ଉଦ୍ର୍ଧ ଛାତ୍ରଚାତ୍ରୀ ଗେଟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କ ଅଭିଯୋଗ ଯେ ଶିକ୍ଷକ ବିଷ୍ଣୁ ଚରଣ ବୋଇତେଇ ଆମ ବିଦ୍ୟାଳୟରେ ଦୀର୍ଘବର୍ଷ ଧରି ଶିକ୍ଷାଦାନ କରିଆସୁଥିବାବେଳେ ସେ ପିଲାମାନଙ୍କୁ ସ୍ନେହ, ଆଦର ଓ ଭଲ ପାଇବା ଦେଖାଇ ଆସିଛନ୍ତି । ସେ ଏହି ବିଦ୍ୟାଳୟକୁ ଏକ ମନ୍ଦିର ସଦୃଶ ଗଢ଼ି ତୋଳିଥିବାବେଳେ ତାଙ୍କ ଦ୍ୱାରା ବିଦ୍ୟାଳୟର ପରିବେଶ ବେଶ ଆକର୍ଷଣୀୟ ହୋଇ ଉଠିଥିଲା । ତାଙ୍କରି ପାଇଁ ବିଦ୍ୟାଳୟର ସୁନାମ ସମଗ୍ର ଗିଲ୍ଲାରେ ପରିବ୍ୟାପ୍ତ ହୋଇଥିଲା । ଏବେ ତାଙ୍କର ବଦଳି ହୋଇଯାଇଥିବାରୁ ଆଜି ।ହାହ ଛାତ୍ରଛାତ୍ରୀ ଲୋତକଭରା କଣ୍ଠରେ ତାଙ୍କ ପ୍ରୀୟ ଶିକ୍ଷକ ଫେରି ଆସନ୍ତୁ ବୋଲି ସରକାରଙ୍କ ନିକଟରେ ଅଳି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ନୋ ବିଷ୍ଣୁସାର ନୋ କ୍ଲାସ, ଆମର ଦାବି ବିଷ୍ଣୁସାର ଫେରି ଆସ, ଆମର ଦରକାର ବିଷ୍ଣୁ ସାର ଆଦି ଶ୍ଳୋଗାନମାନ ଦେଉଥିଲେ । ଖାଲି ଛାତ୍ରଛାତ୍ରୀ ନୁହନ୍ତି ଅଭିଭାବକ ଓ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ସେମାନଙ୍କ ଅଭିଯୋଗ ଯେ ବିଦ୍ୟାଳୟରେ ୮ଟି ଶ୍ରେଣୀରେ ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୮ଜଣ ଶିକ୍ଷକ ଥିଲେ । କିନ୍ତୁୁ ସେହି ଶିକ୍ଷକ ଜଣକ ଏଠାରେ ୨୨ବର୍ଷ ଧରି ଶିକ୍ଷକତା କରି ଖାଲି ଛାତ୍ରଛାତ୍ରୀ ନୁହନ୍ତି ଗ୍ରାମବାସୀଙ୍କ ମନ ଜିଣିଯାଇଥିଲେ । ସେ ବିଦ୍ୟାଳୟରେ ଅନେକ ଫୁଲ ଫଳ ଗଛ ଲଗାଇବା ସହିତ ବିଭିନ୍ନ ପ୍ରକାର ବଗିଚା ସୃଷ୍ଟି କରି ବିଦ୍ୟାଳୟ ପରିବେଶକୁ ମନୋରମ କରିପାରିଥିଲେ । ତାଙ୍କ ଶିକ୍ଷାଦାନ ଓ ବ୍ୟବହାର ସମସ୍ତଙ୍କୁ ଏପରି ବାନ୍ଧିଦେଇଥିଲା ଯେ ଏବେ ତାଙ୍କ ବଦଳି ଯୋଗୁଁ ସମସ୍ତଙ୍କ ଆଖିରୁ ଲୁହ ଗଡୁଛି । ଏନେଇ ଆମେ ବିଇଓ, ଡିଇଓ ସମସ୍ତଙ୍କୁ ଭେଟି ଜଣାଇଛୁ । ଆମର ସେହି ବିଷ୍ଣୁ ସାର ଦରକାର ବୋଲି ସ୍କୁଲ ପରିଚାଳନା କମିଟିର ସଭାପତି ମହେଶ ଚନ୍ଦ୍ର ବାରିକ କହିଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଆମେ ଏହିପରି ଧାରଣାରେ ବସି ରହିବୁ ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି ।


