ସ୍ୱାମୀ ନିତ୍ୟାନନ୍ଦ ପ୍ରତିଷ୍ଠା କଲେ ନୂଆ ଦେଶ

ବେଙ୍ଗାଲୁରୁ : ଦୁଇ ଜଣ ଶିଷ୍ୟଙ୍କୁ ଜବରଦସ୍ତ ଅଟକ ରଖିବା ଅଭିଯୋଗ ପରେ ଦେଶ ଛାଡ଼ି ପଳାୟନ କରିଥିବା ଆତ୍ମଘୋଷିତ ସ୍ୱାମୀ ନିତ୍ୟାନନ୍ଦ ଇତିମଧ୍ୟରେ ଏକ ନୂଆ ଦେଶ ପ୍ରତିଷ୍ଠା କରିଥିବାର ଜଣାପଡ଼ିଛି । ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡରର ଏକ ଦ୍ୱୀପକୁ କିଣି ସେଠାରେ ସେ ଏହି ଦେଶ ପ୍ରତିଷ୍ଠା କରିଛନ୍ତି । ଏହାର ନାମ ରଖାଯାଇଛି କୈଳାସ । କୁହାଯାଉଛି କି ତାଙ୍କର କିଛି ଧନୀକ ଶ୍ରେଣୀର ଶିଷ୍ୟ ଉକ୍ତ ଦ୍ୱୀପକୁ କିଣି ତାଙ୍କୁ ହସ୍ତାନ୍ତର କରିଛନ୍ତି । ଏମିତିକି ତାଙ୍କର ଶିଷ୍ୟ ହୋଇଥିବା ଗୁଜରାଟର ତିନି ଜଣ ପ୍ରମୁଖ ଶିଳ୍ପପତି ନିଜର ପରିବାର ଓ ଉଦ୍ୟୋଗ ଛାଡ଼ି ସେଇ ଦେଶକୁ ଯିବେ ବୋଲି ଘୋଷଣା କରିଛନ୍ତି । ଆହୁରି ମଧ୍ୟ ସୂଚନା ଦିଆଯାଇଛି କି ଖୁବ ଶୀଘ୍ର ନୂତନ ଦେଶରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଯୁକ୍ତି କରାଯିବା ସହିତ କ୍ୟାବିନେଟ ବି ଗଠନ କରାଯିବ । ଦକ୍ଷିଣ ଭାରତର ଜଣେ ଅଭିନେତ୍ରୀ ଯାହାଙ୍କୁ ‘ମାଆ’ ବୋଲି କୁହାଯାଉଛି, ସେ କୈଳାସର ପ୍ରଧାନମନ୍ତ୍ରୀ ହେବେ । ଏହି ଦେଶରେ କେବଳ ସେଇ ଲୋକଙ୍କୁ ରହିବା ପାଇଁ ସୁଯୋଗ ମିଳିବ ଯେଉଁମାନେ ସ୍ୱାମୀ ନିତ୍ୟାନନ୍ଦଙ୍କର ଶିଷ୍ୟ ହୋଇଥିବେ । ଏବଂ ତାଙ୍କ ପାଇଁ ଅର୍ଥ ଦାନ କରିପାରିବେ । ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୨ ତାରିଖରେ ଗୁଜରାଟର ପୁଲିସ ନିତ୍ୟାନନ୍ଦଙ୍କର ଅହମ୍ମଦାବାଦସ୍ଥିତ ଆଶ୍ରମରେ ଚଢ଼ାଉ କରିଥିଲା । କିନ୍ତୁ ସେଠାରେ ନିତ୍ୟାନନ୍ଦଙ୍କର କେତେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବ୍ୟତୀତ ଅନ୍ୟ କିଛି ଜିନିଷ ମିଳିନଥିଲା । ନିତ୍ୟାନନ୍ଦ ତା’ପୂର୍ବରୁ ସେଠାରୁ ପଳାୟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ