ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କେନ୍ଦ୍ରାପଡା ଗସ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭୁବନେଶ୍ୱର ଲୋକସଭା ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ ଶନିବାର ଏକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମତୀ ଷଡଙ୍ଗୀଙ୍କୁ ତିନିମୁହାଣି ଛକରେ ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେଠାରୁ ଏକ ବାଇକ ରାଲିରେ ଶ୍ରୀମତୀ ଷଡଙ୍ଗୀଙ୍କୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଫାଛୋଟି ନିଆଯାଇଥିଲା । ଶ୍ରୀଜୀଉଙ୍କ ଦର୍ଶନ ପରେ ଶ୍ରୀମତୀ ଷଡଙ୍ଗୀ ଇଛାପୁର ଠାରେ ଏକ ବେସରକାରୀ ମଣ୍ଡପରେ କିଛି ସମୟ ବିଶ୍ରାମ ନେବା ପରେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାର କେନ୍ଦ୍ରାପଡା ପ୍ରତି ଆବଶ୍ୟକ ଧ୍ୟାନ ଦେଇନଥିବା ଅଭିଯୋଗ କରିଥିଲେ । କେନ୍ଦ୍ରାପଡାର ଭିତରକନିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥାନ୍ତା । କିନ୍ତୁ ଭିତରକନିକା ଜାତୀୟ ଉଦ୍ୟାନକୁ ବିଶ୍ୱ ସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ରାଜ୍ୟ ସରକାର ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଇ ନାହାନ୍ତି । ଯାହାଦ୍ୱାରା ହଜାର ହଜାର ବେରୋଜଗାର ଯୁବକ ଓ ଯୁବତୀମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । କେନ୍ଦ୍ରାପଡାର ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଦିଗରେ ରାଜ୍ୟ ସରକାରଙ୍କ ତତ୍ପରତା ବା ଆନ୍ତରିକତା ନାହିଁ । ରାଜ୍ୟ ସରକାରଙ୍କ ତତ୍ପରତା ଥିଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ହୋଇପାରିଥାନ୍ତା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ ହୋଇଥିଲେବି ସେଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଓ ଯନ୍ତ୍ରପାତିର ଅଭାବ ରହିଛି । ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୃହରେ ଏକ ସିଟି ହସପିଟାଲ ପ୍ରତିଷ୍ଠା କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଜିଲ୍ଲା ଦେଇ ପାରାଦୀପକୁ ଯାଇଥିବା ୫ନମ୍ବର(କ) ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଟ୍ରକ ଯାଉଥିବା ବେଳେ ପାରାଦୀପ ପୋର୍ଟ ଏବଂ ସେଠାରେ ଥିବା ସମସ୍ତ କଳକାରାଖାନା ଗୁଡିକ ସେମାନଙ୍କର ସି.ଏସ.ଆର. ପାଣ୍ଠି କେନ୍ଦ୍ରାପଡା ପାଇଁ ବିନିଯୋଗ କରିବା କଥା । ସି.ଏସ. ଆର. ପାଣ୍ଠି ଏଠାରେ ବିନିଯୋଗ ହେଲେ ଏଠାରେ ବହୁତ କିଛି କାମ ହୋଇପାରନ୍ତା । ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ତାହା ହୋଇପାରୁନି । କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଏଠାରେ ୬୫ପ୍ରତିଶତ ଜମିରେ ଜଳସେଚନ ବ୍ୟବସ୍ଥା ନାହିଁ । ଶ୍ରୀବଳଦେବଜୀଉଙ୍କ ମନ୍ଦିର ଏବଂ ତା’ର ପାରିପାଶ୍ୱର୍ିକ ଉନ୍ନୟନ କାର୍ଯ୍ୟ ପାଇଁ ୧୨କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ରାଜ୍ୟ ସରକାର କହୁଥିବା ବେଳେ ଏଠାରେ ମାତ୍ର ୨କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । ଶ୍ରୀଜୀଉଙ୍କ ମନ୍ଦିର ବିଶ୍ୱ ପର୍ଯ୍ୟଟନ ସ୍ଥଳୀରେ ଆସିବା କଥା । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବରୁ ତାହା ହୋଇପାରିନାହିଁ । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାର ଡରୁଛନ୍ତି କାହିଁକି ବୋଲି ପ୍ରଶ୍ନ କରିଥିଲେ ଶ୍ରୀମତୀ ଷଡଙ୍ଗୀ? ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ସେ ଅନୁରୋଧ କରିବେ ବୋଲି କହିଥିଲେ । ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି । ଆଗାମୀ ଦିନରେ ବିଜେପିର ଶକ୍ତି ଲୋକମାନେ ଦେଖିପାରିବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଥିଲେ ।