ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର ଦାବୀରେ ଥାନା ସମ୍ମୁଖରେ ଧାରଣା ଦେଲେ ପରିବାରଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ରାମପୁର ଗ୍ରାମର ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହିତ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସଂପୃକ୍ତ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ଦାବୀରେ ଆଜି ପରିବାର ଲୋକଙ୍କ ସମେତ ବହୁ ମହିଳା ଥାନା ଆଗରେ ଧାରଣାରେ ବସିଥିବା ଜଣାଯାଇଛି । ରଞ୍ଜିତା ଧଳ, ଅପର୍ଣ୍ଣା ଧଳ, ଅନ୍ନପୂର୍ଣ୍ଣା ଧଳ, ସରସ୍ୱତୀ ଧଳ, ମନୋରମା ଧଳ, ତୁଳସୀ ଧଳ, ଗୀତାରାଣୀ ଧଳ, ଝିଲିରାଣୀ ଧଳ, ମଞ୍ଜୁଲତା ଧଳ, ଶାନ୍ତିଲତା ଧଳ, ଅହଲ୍ୟା ପାତ୍ର, ମିନତୀ ଧଳ, ବାସନ୍ତୀ ସାମଲ, ଋକ୍ମଣୀ ଧଳ ଧାରଣାରେ ବସିଥିବା ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ତା-୧୬-୧୨-୨୨ ରିଖରେ ରାମପୁର ଗ୍ରାମର ଜନୈକା ନାବାଳିକା ଛାତ୍ରୀଙ୍କୁ ଆପଣ୍ଡା ବେରୁଣପଦୀ ଗ୍ରାମର ଜନୈକ ଯୁବକ ଅପରହରଣ କରି ନେଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ ନଂ-୨୦୭/୨୨ ମୂଳେ ଏକ ମାମାଲା ରୁଜ୍ଜୁ କରିଥିଲା । ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପରିବାରଲୋକେ ବାରମ୍ବାର ଥାନାକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅପରପକ୍ଷେ ପୋଲିସ ନ୍ୟାୟ ପ୍ରଦାନ କରିବା ପରିବର୍ତ୍ତେ ନାଲି ଆଖି ଦେଖାଉଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ଏନେଇ ଅପହୃତା ନାବାଳିକାର ମାଆ ତା-୨୧-୧-୨୩ ରିଖରେ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ, ତହସିଲଦାର, ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିବା ପରେ ଆଜି ଧାରଣାରେ ବସିଥିବା ଜଣାଯାଇଛି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହି ଧାରଣା ଚାଲିବ ବୋଲି ଧାରଣାକାରୀ ମାନେ କହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିଥିବା ଜଣାଯାଇଛି ।


