ଜନତା ହାଇସ୍କୁଲର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):କୁରୁଡ଼ାସ୍ଥିତ ଜନତା ହାଇସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଧଳଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରଥମ ଅଧିବେଶନରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଷମା ବାରିକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କ ସ୍ୱପ୍ନିଳ ଭବିଷ୍ୟତ ଆରମ୍ଭ ହୋଇଥାଏ ବୋଲି କହିଥିଲେ । ଆଲୁମିନି ସଭାପତି ବୀରେନ୍ଦ୍ର ଦାସ, ଶିକ୍ଷାବିତ ସାବିତ୍ରୀ ଜେନା ଓ ସିଆରସିସି ବିଶ୍ୱନାଥ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗଦେଇ ଓଡ଼ିଶାରେ ଶିକ୍ଷାର ବିକାଶ ଓ ଗୁଣାତ୍ମକ ଶିକ୍ଷାଦାନରେ ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମ ବେଶ ଉପାଦେୟ ସାବ୍ୟସ୍ତ ହୋଇଛି ବୋଲି କହିଥିଲେ । ରେମୁଣା ବ୍ଲକ ଚେୟାରମ୍ୟାନ ରାଜେନ୍ଦ୍ର ରାଉତ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଠୋର ଅଧ୍ୟବସାୟ ବଳରେ ସଫଳତା ପ୍ରାପ୍ତ ସହ ବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କୁରୁଡ଼ା ସରପଞ୍ଚ ତାପସ କୁମାର ପାଣିଗ୍ରାହୀ, ଆଲୁମିନି ସଦସ୍ୟ କାର୍ତ୍ତିକ ଚନ୍ଦ୍ର ଗିରି, ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ କିଶୋର କୁମାର ସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।


