୧୦ରୁ ଜିଲାବ୍ୟାପୀ ବାତଜ୍ୱର ନିରାକରଣ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା):ଫାଇଲେରିଆ ରୋଗ ନିରାକରଣ ପାଇଁ ଆସନ୍ତା ୧୦ ତାରିଖର ଜିଲ୍ଲାବ୍ୟାପୀ ଆରମ୍ଭ ହେଉଥିବା ସାମୂହିକ ବାତଜ୍ୱର/ ଫାଇଲେରିଆ ଓଷଧ ସେବନ ସହ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ନିମନ୍ତେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାର ୫ ପୌରାଞ୍ଚଳ ଓ ୧୨ ଗୋଟି ବ୍ଲକର ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ଡ଼ିଇସି ଏବଂ ଆଲବେଣ୍ଡାଜୋଲ୍ ବଟିକା ସେବନ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ।ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱର ଜିଲାରେ ଫାଇଲେରିଆ/ବାତଜ୍ୱର ଆପତତଃ ନିୟନ୍ତ୍ରଣାଧୀନ ଥିବା ବେଳେ ଉପକୂଳ ଅଞ୍ଚଳ ଉପରେ ଅଧିକ ଫୋକସ କରାଯାଉଥିବା ଜିଲାପାଳ କହିଛନ୍ତି । ଏନେଇ ଆସନ୍ତା ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ଓ ୧୭ ତାରିଖ ପର୍ଯ୍ୟନ୍ତ କୃମି ନାଶକ ଔଷଧ ସେବନ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ଏହି ଔଷଧ ସେବନ କାର୍ଯ୍ୟକ୍ରମରେ ନିଯୁକ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମଶାବଂଶ ବୃଦ୍ଧି କରୁଥିବା ଜଳଶୟ ତଥା ଖାଲୁଆ ଅଞ୍ଚଳର ଉଦ୍ଧାର ସହ ବ୍ୟବହାର ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଅଧିକ ବାତଜ୍ୱର ହେଉଥିବା ଜିଲାର ବାଲିଆପାଳ ବ୍ଲକର ଗୋଟିଏ ପଞ୍ଚାୟତକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି । ସମ୍ପୃକ୍ତ ପଞ୍ଚାୟତର ଖାଲୁଆ ଅଞ୍ଚଳକୁ ପୁନରୁଦ୍ଧାର ସହ ଏଥିରେ ମାଛଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ପାଇଲଟ ପ୍ରକଳ୍ପର ସଫଳତା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ସହ ପରବର୍ତ୍ତୀ ସମୟରେ ସମଗ୍ର ଜିଲାରେ ଏହିଭଳି ଜଳ ସଂରକ୍ଷିତ ସ୍ଥାନର ବ୍ୟବହାର କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ଭାବେ ଥିରେ ଅଙ୍ଗନବାଡ଼ି ସେହିପରି ଜାତୀୟ କୃମି ନାଶନ କାର୍ଯ୍ୟକ୍ରମ ଫେବୃଆରୀ ୧୦ ଏବଂ ୧୭ ରେ ଜିଲ୍ଲା ବ୍ୟାପି କରାଯିବ । ସେହିଭଳି ଏହି ଔଷଧ ଶରୀରରେ ଲୁଚି ରହିଥିବା ମାଇକ୍ରୋ ଫାଇଲେରିଆ ଜୀବାଣୁକୁ ମାରି ବାତଜ୍ୱର/ଗୋଦର ହେବାକୁ ଦେଇ ନ ଥାଏ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦେବ କହିଛନ୍ତି । ୫ବର୍ଷରୁ କମ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଦୁର୍ବଳ ତଥା ଅସୁସ୍ଥ ବ୍ୟକ୍ତିଙ୍କୁ ଏହି ଔଷଧ ସେବନରୁ ବାରଣ କରାଯାଇଛି । ଜିଲ୍ଲାରେ ୧୦୨୦୯ ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟାନ୍ୟ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ । ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ ପାଇଁ ୧୦୨୧ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ସେହିପରି ଜାତୀୟ କୃମି ନାଶନ କାର୍ଯ୍ୟକ୍ରମରେ ୧ ରୁ ୨ ବର୍ଷର ଶିଶୁଙ୍କ ପୁଷ୍ଟିର ବିକାଶ ଏବଂ ରକ୍ତହୀନତା ଦୂରୀକରଣ ନିମିତ୍ତ ଆଲବେଣ୍ଡାଜୋଲ୍ ଶିରପ ଦିଆଯିବ । ଜିଲ୍ଲାସ୍ତରୀୟ ୧୮ ଜଣ ଅଧିକାରୀ ପ୍ରତ୍ୟେକ ବ୍ଲକକୁ ଯାଇ ଏହି କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗଦ୍ଦେବ ସୂଚନା ଦେଇଛନ୍ତି । ଅଦ୍ୟାବଧି ଜିଲ୍ଲାର ୮୬୨୯ ଜଣ ଗୋଦର ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ସେ କହିଛନ୍ତି । ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶଶାଙ୍କ ଶେଖର ଚୌଧୁରୀ, ବାହକ ରୋଗ ପରାମର୍ଶଦାତା ଆଲୋକ କୁମାର ପତି, ଜିଲା ମୁଖ୍ୟ ଚିକିତ୍ସାଳୟ ଡେପୁଟି ମ୍ୟାନେଜେର ଏଲିନା ସାମଲ, ଏନଏଚଏମ ଜିଲା ପ୍ରକଳ୍ପ ସଂଯୋଜକ ଅନୀଲ କୁମାର ମହାନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧ ଡାକ୍ତର ଦେବକାନ୍ତ ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ , ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧୁକାରୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧୁକାରୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ପି.ସି.ଆଇ. ଜିଲ୍ଲା ଅଧିକାରୀ ରାଜୀବଲୋଚନ ଜେନା ଏହି ସାମ୍ବାଦିକ ସମ୍ମିଳନୀ ସଂଚଳାନ କରିଥିଲେ ।