ଭି.ଆର.ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଟାଉନହଲ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଭିମରାଓ ଆମ୍ବେଦକରଙ୍କ ୬୩ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା ବିଜୁଜନତା ଦଳ ଅନୁସୂଚିତଜାତି ସେଲର ଅଧ୍ୟକ୍ଷ ବାରେଣୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବାବା ସାହେବଙ୍କ ଯୋଗୁଁ ଆମେ ଆଜି ସାରା ଭାରତବର୍ଷକୁ ଗୋଟିଏ ସୂତାରେ ବାନ୍ଧି ରଖିପାରିଛେ । ସେ କେବଳ ଦଳିତ ଲୋକଙ୍କ ତ୍ରାଣକର୍ତ୍ତା ନଥିଲେ ସେ ସବୁ ବର୍ଗର ଲୋକଙ୍କ ନିମନ୍ତେ ସମ୍ବିଧାନ ପ୍ରଣୟନ କରି ଦେଶର ଗଣତନ୍ତ୍ରକୁ ସୁରକ୍ଷିତ ରଖିବାର ବ୍ୟବସ୍ଥା କରିଯାଇଛନ୍ତି । ତାଙ୍କର ବ୍ୟାପକ ଦୃଷ୍ଟିଭଙ୍ଗିକୁ ଏଭଳି ଦିବସରେ ଲୋକଙ୍କ ପାଖରେ ପହଁଚାଇପାରିଲେ ତାହାହିଁ ହେବ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ । ମୁଖ୍ୟବକ୍ତା ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗଦେଇ କହିଥିଲେ ଯେ ଆମ୍ବେଦକର ଭାରତବର୍ଷର ସବୁ ସମ୍ପ୍ରଦାୟର ନେତା ଥିଲେ । ତାଙ୍କପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଧାୟକ ଶ୍ରୀ ସାହୁ ବାବା ସାହେବ ସମାନତାକୁ ଗୁରୁତ୍ୱ ଦେଇଥିଲେ ବୋଲି ଅଭିହିତ କରିଥିଲେ । ସମ୍ବିଧାନ ପ୍ରଣୟନ ସଭାରେ ସେ ଆମ ଶାସନ ବ୍ୟବସ୍ଥାକୁ ଯେଉଁ ଦିଗଦର୍ଶନ ଦେଇଛନ୍ତି ସେଥିପାଇଁ ସାରା ବିଶ୍ୱରେ ଭାରତବର୍ଷ ଆଜି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମ୍ମାନୀତ ହୋଇପାରିଛି । ନବୀନ ପଟ୍ଟନାୟକଙ୍କ ସରକାରରେ ଦଳିତ,ପଛୁଆ ଓ ସାମାଜିକ ଅନଗ୍ରସରଙ୍କ ନିମନ୍ତେ ବହୁ ଯୋଜନା ପ୍ରଣୟନ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରାଯିବାକୁ ପ୍ରୟାସ ଜାରିରହିଛି । ଶିକ୍ଷା,ନିଯୁକ୍ତି ଓ ଖାଦ୍ୟସୁରକ୍ଷା କ୍ଷେତ୍ରରେ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ଆମ୍ବେଦକରଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଅଗ୍ରସର ହୋଇ ସମାଜ ପାଇଁ କାର୍ଯ୍ୟ କଲେ ତାହାହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟବକ୍ତା ବିଧାୟକ ଶ୍ରୀ ସାହୁ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ,ବରିଷ୍ଟ ବିଜେଡି ନେତା ଭଜକୃଷ୍ଣ ରାଉତ,ଗଦାଧର ମଲ୍ଲିକ,ଯୁବ ବିଜେଡି ସବାପତି ରାଜେଶ ପଣ୍ଡା,ବ୍ଲକ ବିଜେଡି ସଭାପତି ଆଲୋକ ସାହୁ,ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ସେଠୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମହମ୍ମଦ ସେକ ଇନାୟତ(ଚନ୍ଦନ),ଦୁଷ୍ମନ୍ତ ମଲ୍ଲିକ,ସେକ ମତୁ, ଦୀପକ ମଲ୍ଲିକ,ଲୋହିତ ମଲ୍ଲିକ,ପ୍ରମିଳା ସେଠୀ,ତ୍ରିଲୋଚନ ଦାସ,ଜିଲ୍ଲା ସମ୍ପାଦକ ସୁଶାନ୍ତ ମଲ୍ଲିକ,ସୁଶାନ୍ତ ସେଠୀ,ଭୀମସେନ ବେହେରା,କୃଷ୍ଣ ମଲ୍ଲିକ,ମାନସ ସେଠୀ,ରବିନ୍ଦ୍ର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ସାଧାରଣ ସମ୍ପାଦକ ନଗେନ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ କମିଟି ସଦସ୍ୟ ନିର୍ମଳ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।