ଶିବାନନ୍ଦ ମାତୃ ଚେତନା ସଙ୍ଘ ପକ୍ଷରୁ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ଶିବାନନ୍ଦ ମାତୃ ଚେତନା ସଙ୍ଘ ଆନୁକୂଲ୍ୟରେ ଶିବାନନ୍ଦ ଆଶ୍ରମ ପରିସରରେ ଆଗାମୀ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ଆଲୋଚନାଚକ୍ର ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଏକ ସୁସ୍ଥ ସମାଜ, ପ୍ଲାଷ୍ଟିକ ମୁକ୍ତ, ନିଶାମୁକ୍ତ, ପରିବେଶ ସୁରକ୍ଷା, ବୃକ୍ଷରୋପଣ ଭଳି ଏକ ସୁନ୍ଦର ଓ ସବୁଜ ପରିବଶେ ଗଠନ ଦିଗରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମା ତାଙ୍କ ବକ୍ତବ୍ୟରେ କହିଥିଲେ । ନାରୀ ଟିଏ କୁନି ଶିଶୁ ଟିକୁ ଗଢି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଇତିହାସ ଅନୁଯାୟୀ ଗାର୍ଗି, ମଦାଳସା, ମୀରାବାଇ, ରମାଦେବୀ, ନିବେଦିତାଙ୍କ ଭଳି ମହିୟସୀ ନାରୀମାନଙ୍କର ସମାଜ ପାଇଁ ଥିବା ଅବଦାନ ଆମ ପାଇଁ ଉଦାହରଣ ଓ ପ୍ରେରଣାର ଉତ୍ସ ହୋଇ ରହିଛି । ସେମାନଙ୍କ ଆଦର୍ଶରେ ସମଗ୍ର ଭାରତବର୍ଷ ଆର୍ଯ୍ୟଭୂମିର ନାରୀମାନେ ଅନୁପ୍ରାଣିତ ହେବାକୁ ଶ୍ରୀମା ଆହ୍ୱାନ ଦେଇଥିଲେ । ସାଧାରଣ ଜନତା ସେମାନଙ୍କ ମାର୍ଗକୁ ଅନୁସରଣ କଲେ ଆମେ ଏକ ସୁସ୍ଥ ସମାଜ, ଆଦର୍ଶ ନାରୀ, ସୁନାର ଅଖଣ୍ଡ ଭାରତ ଗଠନ କରିପାରିବା ବୋଲି ଶ୍ରୀମା କହିଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ମହିଳାମାନେ ଯୋଗଦେଇଥିଲେ । ଆସନ୍ତା ମାର୍ଚ୍ଚମାସ ୮ତାରିଖରେ ମହିଳା ଦିବସରେ ଓ ୧୭, ୧୮ ଓ ୧୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମାତୃ ସମ୍ମିଳନୀରେ ସମସ୍ତ ମାମାନେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।