ଜାଗା-ଘର ଯୋଗାଇ ଦେବାକୁ ଯାଦପୁରବାସୀଙ୍କ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ରେଳଧାରଣା ପାଶ୍ୱର୍ସ୍ଥ ଅଞ୍ଚ ଖାଲି କରିବା ପାଇଁ ରେଲୱେ କର୍ତ୍ତୃପକ୍ଷଙ୍କ ନୋଟିସ ଜାରିକୁ ନେଇ ସହରର ଯାଦପୁର ବସ୍ତି ମହିଳାମାନେ ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଥଇଥାନ ଦାବିରେ ଫେରାଦ ହୋଇଛନ୍ତି । ବାଲେଶ୍ୱର ପୌରପାଳିକାର ୩୦ ନଂ ୱାର୍ଡ଼ ଅନ୍ତର୍ଗତ ଯାଦପୁର ଅଞ୍ଚଳର ଏହି ପରିବାରମାନେ ଦୀର୍ଘ ୫୦ବର୍ଷ ଧରି ରେଳ ଜାଗାରେ ବସବାସ କରି ଆସୁଥିଲେ । ରେସନକାର୍ଡ଼ ଠାରୁ ଆରମ୍ଭ କରି ଭୋଟର ପରିଚୟପତ୍ର ପାଇଥିବା ଏହି ବସ୍ତିବାସିନ୍ଦା ପ୍ରତି ସାଧାରଣ ନିର୍ବାଚନ ଓ ପୌର ନିର୍ବାଚନରେ ଭୋଟ ମଧ୍ୟ ଦେଇ ଆସୁଥିବା ସେମାନେ କହିଛନ୍ତି । ଜାଗା ମିଶନ ଜରିଆରେ ସେମାନେ ୪/୫ ବର୍ଷ ପୂର୍ବରୁ ଭୂ-ଅଧିକାର ପ୍ରମାଣପତ୍ର ମଧ୍ୟ ପାଇଛନ୍ତି । ମାତ୍ର ଅଦ୍ୟାବଧି ସମ୍ପୃକ୍ତ ପରିବାରଙ୍କୁ ଜାଗା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସମ୍ପ୍ରତି ତୃତୀୟ ରେଳ ଧାରଣା ବିଛାଇବା ପାଇଁ ରେଲୱେ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିବା ବେଳେ ସେହି ସ୍ଥାନରୁ ହଟିବା ପାଇଁ ନୋଟିସ ଜାରି କରାଯାଇଥିବା ମହିଳାମାନେ ସୂଚନା ଦେଇଛନ୍ତି । ଏମିତିକି ଧାର୍ଯ୍ୟ ସମୟ ମଧ୍ୟରେ ଜାଗା ଖାଲି ନ କଲେ ସେମାନଙ୍କୁ ଜବରଦସ୍ତ ଉଚ୍ଛେଦ କରାଯିବ ବୋଲି ରେଳ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ।ଏଭଳି ସ୍ଥିତିରେ ସେମାନେ କେଉଁଠିକି ଯିବେ ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି । ଜାଗା ମିଶନ ଜରିଆରେ ଜାଗା ସହ ଘର ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସ୍ଥାନୀୟ ପୂର୍ବତନ କାଉନସିଲର ଜୟପ୍ରକାଶ ଦାଶ ସମେତ ଯାଦପୁର ବସ୍ତି ଅଞ୍ଚଳର ବହୁ ମହିଳା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ