ପୋଲିସର ଅମାନୁଷିକ ଆକ୍ରମଣ ପ୍ରତିବାଦରେ ବିଜେପି ପକ୍ଷରୁ ଥାନାରେ ଏତଲା
ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା କର୍ମୀମାନଙ୍କ ପକ୍ଷରୁ ଗତ ମଙ୍ଗଳବାର ଭୁବନେଶ୍ୱର ଠାରେ ଆନ୍ଦୋଳନ ଚାଲିଥିବା ବେଳେ ପୋଲିସର ଅମାନୁଷିକ ଆକ୍ରମଣ ପ୍ରତିବାଦରେ ଆଜି ବନ୍ତ ବ୍ଲକ ବିଜେପି ଶାଖାର କର୍ମୀମାନେ ବନ୍ତ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ବିଜେପି ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରୀ ନାରାୟଣ ଧଳ, ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଯୋଗଦେଇ ଗତ ୨୮ତାରିଖ ଦିନ ବିଜେପି ରାଜ୍ୟ ଯୁବମୋର୍ଚ୍ଚା କର୍ମୀମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଭୁବନେଶ୍ୱର ଠାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଶାସକ ଦଳର ଇଙ୍ଗିତରେ ପୋଲିସର ଯୋଜନାବଦ୍ଧ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଥିଲେ ମଧ୍ୟ ପୋଲିସ ଡିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର, ଭୁବନେଶ୍ୱର ଡିସିପି ନିରପେକ୍ଷ ତଦନ୍ତ ନକରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରୋଶମୂଳକ ଭାବ ନେଇଥିବା ଅଭିଯୋଗ କରିଥିଲେ । ପୋଲିସ ଡିଜି ସୁନୀଲ ବଂଶଲ, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ବିରୁଦ୍ଧରେ ବିଜେପି ବନ୍ତ ଶାଖା କମିଟି ପକ୍ଷରୁ ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କୁ ଏତଲା ପ୍ରଦାନ କରାଯାଇଥିଲା । ବରଡେଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ, ଜିତେନ୍ଦ୍ର ନାୟକ, ତୋଡଙ୍ଗା ସରପଞ୍ଚ ମାନସ ରଞ୍ଜନ ପହି, ପ୍ରାକ୍ତନ ସରପଞ୍ଚ କିଶୋର କିଙ୍କର ପଢିହାରୀ, ବନ୍ତ ମଣ୍ଡଳ ସମ୍ପାଦକ ସନ୍ତୋଷ ନାୟକ, ବରଡେଶ୍ୱର ମଣ୍ଡଳ ସମ୍ପାଦକ ମନୋଜ ବିଶ୍ୱାଳ, ଲରେନ୍ସ ବେହେରା, କିଶୋର ବିଶ୍ୱାଳ, ପୁରୋସ୍ତମ ମିଶ୍ର, ଶ୍ୟାମ ସୁନ୍ଦର ଦାସ, ଦିଲ୍ଲୀପ କୁମାର ପୁହାଣ, ସୁକାନ୍ତ ସାହୁ, ତାପସ କୁମାର ଜେନା, ଜିତେନ କୁମାର ନାଥ, ଅଜିତ୍ ନନ୍ଦ, ବିକାଶ ଦାସଙ୍କ ସହ ବିଭିନ୍ନ ପଞ୍ଚାୟତର ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।


