ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କମ୍ପିଲା ଗୃହ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ସଭାପତି ନାରାୟଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜିଲ୍ଲାପାଳ ଦତାତ୍ରୟ ଭାଓସାହେବ ଶିନ୍ଦେ, ଭଦ୍ରକ ସାଂସଦଙ୍କ ପ୍ରତିନିଧି ଅଶ୍ୱନୀ ମହାପାତ୍ର, ବାଲେଶ୍ୱର ସାଂସଦ ପ୍ରତିନିଧି ଉମାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରାରମ୍ଭରେ ଜିଲାର ଶିକ୍ଷା ବିଭାଗର ଦୟନୀୟ ସ୍ଥିତିକୁ ନେଇ ଜିଲା ପରିଷଦ ସଦସ୍ୟମାନେ ଦୀର୍ଘ ସମୟଧରି ଆଲୋଚନା କରିଥିଲେ । ବିଶେଷ କରି ଜିଲ୍ଲାରେ ଲାଗି ରହିଥିବା ଶିକ୍ଷକ କର୍ମଚାରୀ ଅଭାବ ଓ ଭିତ୍ତିଭୂମି ବିକାଶ ସମସ୍ୟା ସାଙ୍ଗକୁ ରୂପାନ୍ତରଣ ଆଳରେ ୫-ଟି ସ୍କୁଲରେ ଚାଲିଥିବା ସରକାରୀ ଅର୍ଥ ଆତ୍ମସାତକୁ ନେଇ ବୈଠକରେ ଅଭିଯୋଗ ଉଠିଥିଲା । ବାହାନଗା ବ୍ଲକର ୧୬ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରୁଥିବା ଚଙ୍ଗୁ ଓ ମଙ୍ଗୁ ନିଜ ଇଚ୍ଛାନୁସାରେ କାର୍ଯ୍ୟ କରୁଥିବା ସଦସ୍ୟମାନେ ଆରୋପ କରିଥିଲେ । ଏ ବାବଦରେ ଜିଲା ଶିକ୍ଷାଧିକାରୀଙ୍କୁ ପଚରାଯିବାରେ ସେ ଅସହାୟତା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଚିହ୍ନଟ ହୋଇଥିବା ନକଲି ଶିକ୍ଷକଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ସମସ୍ତେ ଅଡ଼ି ବସିଥିଲେ । ଅନୁରୂପ ଭାବେ ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଘରୋଇ ହସପିଟାଲଙ୍କ ଶୋଷଣକୁ ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ପଦ ପୂରଣ ଉପରେ ଲୋକପ୍ରତିନିଧିମାନେ ଗୁରୁତ୍ୱାରୋପ କରିଥିଲେ । ତେବେ କେଉଁ ପରିସ୍ଥିତିରେ ରୋଗୀମାନଙ୍କୁ ସିଏଚସିରୁ ଏସଡିଏଚ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମୁଖ୍ୟ ଚିକିତ୍ସାଳୟରୁ କଟକ ତଥା ଅନ୍ୟାନ୍ୟ ହସପିଟାଲକୁ ରେଫର ହେଉଛନ୍ତି, ତା’ ଉପରେ ଅନଲାଇନ ଅଡିଟ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଜଳସେଚନ, କ୍ଷୁଦ୍ର ଜଳସେଚନ, ବାଲେଶ୍ୱର ଉଠା ଜଳସେଚନ ବିଭାଗ, ଖାଦ୍ୟ ଓ ଯୋଗାଣ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ମନରେଗା, ଆରଡି, ପୂର୍ତ୍ତ ପ୍ରଭୃତି ବିଭାଗର ବିଭିନ୍ନ ଯୋଜନା ଓ ନିର୍ମାଣଧୀନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟର ଗୁଣବତ୍ତା ରକ୍ଷା ସାଙ୍ଗକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ଯୋଜନା ସଫଳ ରୂପାୟନ କ୍ଷେତ୍ରରେ କାର୍ଯ୍ୟର ତଦାରଖ ପାଇଁ ଏହି ବୈଠକରେ ୭ ଗୋଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଥିଲା । ଜିଲ୍ଲା ପରିଷଦ ସଦସ୍ୟଙ୍କ ସମେତ ସମିତି ଅଧ୍ୟକ୍ଷ ଓ ବିଭିନ୍ନ ବିଭାଗର ଅଧିକାରୀ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ବୈଠକ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷା ଅନୁସୂୟା ପ୍ରଦାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ