ଲୁହର ସାଗର ନେଇ ବାପଘରକୁ ଫେରିଲା କନ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):ରାତି ପାହିଲେ ନବ ଦମ୍ପତିଙ୍କ ହୋଇଥା’ନ୍ତା ଚଉଠି । ଘରେ ବନ୍ଧୁବର୍ଗ, ସମ୍ପର୍କୀୟଙ୍କର ଭିଡ଼ ଲାଗିରହିଥିବା ବେଳେ ଭୋଜି ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି । ମାତ୍ର ସକାଳେ ନବ ବିବାହିତ ବରର ମୃତଦେହ ଉଦ୍ଧାର ହେବା ଘଟଣା ପରିବାର ସମେତ ସମଗ୍ର ଅଞ୍ଚଳ ପାଇଁ ଦୁଃଖର ସାଗର ସୃଷ୍ଟି କରିଛି । ଅନ୍ୟପକ୍ଷରେ ଦାମ୍ପତ୍ୟ ଜୀବନର ପାଦ ଦେବା ପୂର୍ବରୁ ନବ ବିବାହିତା କନ୍ୟା ବିଧବା ହେବା ଦୁଇ ପରିବାରକୁ ମର୍ମାହତ କରିଛି । ଏହିଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅର୍ନ୍ତଗତ ତୁଣ୍ଡୁରା ପଞ୍ଚାୟତ ଖଡୁପାଡି ଗାଁ’ରେ । ଏହି ଗ୍ରାମର ଶିଶିର କୁମାର ଭଞ୍ଜଙ୍କ ସାନ ପୁଅ ଅଜୟଙ୍କର ବିବାହ ଗତ ୧ତାରିଖ ବୁଧବାର ଚାନ୍ଦିପୁର ଥାନା ଅର୍ନ୍ତଗତ ଗୁଡୁପାହି ଅଂଚଳର ମାଧବ ଜେନାଙ୍କ ଝିଅ ଚାନ୍ଦିନୀ(୨୧)ଙ୍କ ସହ ବଳରାମଗଡି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ବୈଦିକ ରିତିରେ ବିବାହ ହୋଇଥିଲା । ଅଜୟ ମାର୍ବଲ କାମ କରିବା ସହ ଚିଙ୍ଗୁଡି ଘେରୀ ମଧ୍ୟ କରନ୍ତି । ଏହି ବିବାହକୁ ନେଇ ଉଭୟ ପରିବାର ବେଶ ଖୁସିଥିବା ବେଳେ ଅଜୟ ବାଜା, ରୋସିଣୀ ସହ ବିବାହ କରିବା ପାଇଁ ଆସିଥିଲେ । ଆଉ ମନ୍ଦିରରେ ବିବାହ ଶେଷରେ ବରକନ୍ୟା ଖଡୁପାଡିକୁ ଫେରିଥିଲେ ।ଏହି ସମୟରେ ଗାଁ ଓ ନିଜ ପରିବାର ଲୋକେ ବେଶ ଥିଲେ ଆନନ୍ଦିତ । ବିବାହକୁ ଆଜି ତିନି ଦିନ ହୋଇଥିବା ବେଳେ ଗାଁରେ ଥିଲା ପ୍ରତିଭୋଜନ । ପ୍ରତିଭୋଜନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମଧ୍ୟାହ୍ନରେ ହୋଇଥାଆନ୍ତା ଖିଆପିଆ । ହେଲେ ସକାଳେ ଏହି ଖୁସୀ ପରିବର୍ତ୍ତିତ ହୋଇଥିଲା ଶୋକାକୂଳ ପରିବେଶକୁ । ପରିବାର ଲୋକଙ୍କ କହିବା ଅନୁସାରେ ଭୋର ୩ଟା ବେଳେ ଅଜୟ ଶୌଚ ପାଇଁ ବାହାରକୁ ଯିବାକୁ ପରିବାର ଲୋକଙ୍କୁ ଡାକିଥିଲା । ଏପରିକି ପରିବାର ଲୋକେ ତାକୁ ସାଙ୍ଗରେ ନେଇ ବାହାରକୁ ଯାଇ କିଛି ସମୟ ପରେ ଘରକୁ ଫେରିଆସିଥିଲେ । ହେଲେ ସେ ଦ୍ୱିତୀୟ ଥର ଅର୍ଥାତ ଭୋର ୪ଟାରୁ ୫ଟା ମଧ୍ୟରେ ପୁଣି ଥରେ ଶୌଚ ହେବା ପାଇଁ ବାହାରକୁ ଯାଇଥିଲେ । ହେଲେ ସେହି ସମୟରେ ତାଙ୍କ ସାଙ୍ଗରେ କେହି ନଥିଲେ । ସେ ଏକୁଟିଆ ବାହାରକୁ ଶୌଚ ହେବା ପାଇଁ ଯାଇଥିଲେ । ଦୀର୍ଘ ସମୟ ଧରି ଅଜୟ ଘରକୁ ନ ଫେରିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ନିକଟସ୍ଥ ଗଡ଼ିଆରେ ପଡ଼ିଥିବା ଦେଖି ଲୋକେ ଉଦ୍ଧାର ସହ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖନ୍ତାପଡା ପୁଲିସ ମେଡିକାଲରେ ପହଞ୍ଚି ପଞ୍ଚନାମା କରିବା ପରେ ମୃତଦେହ ବ୍ୟବଚ୍ଛେଦ ସହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଗଡ଼ିଆ ନିକଟରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା କାରଣରୁ ହେଉ କିମ୍ବା ପୂର୍ବରୁ ତାଙ୍କର ଥିବା ବାତ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଅଷ୍ଟମଙ୍ଗଳା ପୂର୍ବରୁ ବର କିମ୍ବା କନ୍ୟାଙ୍କୁ ଏକୁଟିଆ କେଉଁଠିକୁ ଯିବା ପାଇଁ ଅନୁମତି ଦିଆଯାଏ ନାହିଁ ବୋଲି ସେ ଅଞ୍ଚଳର ବୟସ୍କ ଲୋକେ କହିଛନ୍ତି । ଏକ ଶୋକାକୁଳ ପରିବେଶ ମଧ୍ୟରେ ଅଜୟର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ସ୍ୱାମୀକୁ ଆଖି ପୂରାଇ ଦେଖିବା ପୂର୍ବରୁ ବିଧବା ହୋଇଥିବା କନ୍ୟାକୁ ତାଙ୍କ ବାପଘରେ ଲୋକେ ନେଇଯାଇଛନ୍ତି ।


