ନିର୍ମାଣ ଶ୍ରମିକ ସମସ୍ୟା ସାମାଧାନ ସମ୍ପର୍କିତ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ ଓ ସହାୟତା ରାଶି ପ୍ରଦାନ କ୍ଷେତ୍ରରେ ଜିଲା ଶ୍ରମ ଦପ୍ତରରେ ହେଉଥିବା ଅନିୟମିତତାର ସ୍ଥାୟୀ ସମାଧାନ ସମ୍ପର୍କିତ ଏକ ବୈଠକ ଉଠାଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ଶ୍ରମିକ ସଂଘ ସମୂହର ସମନ୍ୱୟ ସମିତି ପକ୍ଷରୁ ଆୟୋଜିତ ଏହି ବୈଠକରେ ବେଣୁଧର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସମିତିର ଆବାହକ ବିଜୟ ପାତ୍ର ଶ୍ରମ ଦପ୍ତରର ଅବହେଳା ସଂପର୍କରେ ବୈଠକରେ ଆଲୋଚନା କରିଥିଲେ । କିଛି ନିର୍ଦ୍ଦିଷ୍ଟ ରାଜନୈତିକ ବ୍ୟକ୍ତି ଓ କେତେକ ଜନସେବା କେନ୍ଦ୍ରର କର୍ମଚାରୀ ନିର୍ମାଣ ଶ୍ରମିକମାନଙ୍କ ପଞ୍ଜୀକରଣ ପାଇଁ ନିୟମିତ ଶ୍ରମଦପ୍ତରକୁ ଆସୁଥିବା ସମ୍ପର୍କରେ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଥିଲେ । ସେହିଭଳି ଶ୍ରମବିଭାଗ ତ୍ରୁଟି ପାଇଁ ଗତ କୋଭିଡ କାଳରେ ଜିଲ୍ଲାର ପ୍ରାୟ ୧୫ ହଜାର ଶ୍ରମିକ ସହାୟତା ଅର୍ଥ ପାଇ ପାରିନାହାନ୍ତି । ନିର୍ମାଣ ଶ୍ରମିକଙ୍କର କନ୍ୟା ବିବାହ ଓ ପିଲାମାନଙ୍କ ପାଠପଢ଼ା ବାବଦକୁ ଅର୍ଥ ସଠିକ୍ ସମୟରେ ପ୍ରଦାନ କରାଯାଉନାହିଁ ବୋଲି ବୈଠକରେ ଅଭିଯୋଗ ହୋଇଥିଲା । ଉପରୋକ୍ତ ଅଭିଯୋଗ ଉପରେ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ଶ୍ରମ ଉପ ଆୟୁକ୍ତ (ଡିଏଲ୍ସି) ଅଜୟ କୁମାର ପ୍ରଧାନ ଓ ଜିଲ୍ଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଆସନ୍ତା ଏପ୍ରିଲ୍ ମାସରେ ସମସ୍ତ ଆବେଦନର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି ବୋଲି ଆବାହକ ବିଜୟ ପାତ୍ର କହିଛନ୍ତି । ଏହି ଆଲୋଚନାରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ପ୍ରତିନିଧି ଓ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ସର୍ବଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ, ସଂଜୟ ସାମଲ, ବିକାଶ ଦାସ, ଗଦାଧର ପ୍ରଧାନ, ଶ୍ୟାମସୁନ୍ଦର ଜେନା, ପ୍ରଶାନ୍ତ ପରିଡ଼ା, ମୃତ୍ୟୁଞ୍ଜୟ ରାଉତ, କେଶବ ଲେଙ୍କା, ସରୋଜ ପାଣିଗ୍ରାହୀ, ହରିଶ ପାତ୍ର, ଗୀତା ପାଣିଗ୍ରାହୀ, ସୁବ୍ରତ ପ୍ରଧନ, ବିଶ୍ୱେଶ୍ୱର ପରିଡ଼ା, ଶରତ ଦଳାଇ, ସଞ୍ଜୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସମନ୍ୱୟ ସମିତିର ନୂତନ ସଦସ୍ୟତା ଗ୍ରହଣ କରିଥିବା ସଂଘ ପକ୍ଷରୁ ପ୍ରଭାକର ବେହେରା, ବିନୟ ପରମାଣିକ ଓ ଅନନ୍ତ ଗୋପାଳଙ୍କୁ ବୈଠକରେ ସ୍ୱାଗତ କରାଯାଇଥିଲା ।


