ବିଭିନ୍ନ ଦାବି ନେଇ ଡ୍ରାଇଭରଙ୍କ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ:ଦୂତୀୟ ଦିନରେ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଓଡିଶା ଡ୍ରାଇଭର୍ ମହାସଂଘର ବିଭିନ୍ନ ଦାବି ନେଇ ୧୫ ତାରିଖରୁ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଭାବରେ ଯାନବାହାନ ଚଳାଚଳ ବନ୍ଦ ହୋଇ ଜନଜୀବନ ବ୍ୟାପକ ରୁପେ ପ୍ରଭାବିତ ହୋଇଛି । ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି । ଗତକାଲିଠାରୁ ବେଲଗୁଣ୍ଠା ଅଞ୍ଚଳର ୪୫୦ ରୁ ୫୦୦ ଡ୍ରାଇଭର୍ ଷ୍ଟେରିଙ୍ଗ୍ ଛାଡି ଆନ୍ଦୋଳନରେ ବସିବା ସହିତ ବିଭିନ୍ନ ପ୍ରକାରର ସରକାର ବିରୋଧୀ ସ୍ଲୋଗାନ ଦେଇ ସମ୍ପୂର୍ଣ୍ଣ ଅଞ୍ଚଳରେ ଚକ ଅଖ ବନ୍ଦ କରିଦେଇଛନ୍ତି । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସେମାନଙ୍କର ଦାବିକୁ ବିଚାରକୁ ନ ନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି । ବେଲଗୁଣ୍ଠା ଅଞ୍ଚଳ ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳୀ ହୋଇଥିବା ବେଳେ ବିଭିନ୍ନ ଗମନାଗମନ ଠପ୍ ହୋଇଯାଇଛି । ବେଲଗୁଣ୍ଠା ବ୍ଳକର କଣ୍ଟେଇପଲୀ ଛକ ଗାଙ୍ଗପୁର ଛକ, ବେଲଗୁଣ୍ଠା ବ୍ଳକ ଛକ ଓ ଜଗନ୍ନାଥ ପ୍ରସାଦ ରୋଡ ରେ ଶହ ଶହ ଡ୍ରାଇଭର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଛନ୍ତି । ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା,୫୫ ବର୍ଷ ବୟସ ପରେ ମାସକୁ ୫୦୦୦ ଟଙ୍କା ପେନସନ ଯୋଜନା, ରାଜରାସ୍ତାରେ ପାର୍କିଂ ବ୍ୟବସ୍ଥା ଓ ବିଶ୍ରାମ ଗୃହ ନିର୍ମାଣ, ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କ ପାଇଁ ୨୦ ଲକ୍ଷ ଜୀବନ ବୀମା ଓ ଅକର୍ମଣ୍ୟ ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷ ବୀମା ଯୋଜନା, ସମସ୍ତ ଡ୍ରାଇଭରଙ୍କ ପାଇଁ ସମାନ ଦରମା ଲାଗୁ କରିବା, ଦ୍ଵିତୀୟ ସୈନିକର ମାନ୍ୟତା ପ୍ରଦାନ, ଡ୍ରାଇଭର ଙ୍କ ପିଲା ମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ପାଇଁ ଯୋଜନା, ଲାଇସେନ୍ସ ପାଇଁ ନିର୍ଧାରିତ ଫିସ୍ କୁ କମ୍ କରିବା ଇତ୍ୟାଦି ଦାବି ନେଇ ଡ୍ରାଇଭର୍ ମହାସଂଘ ଧାରଣାରେ ବସିଛନ୍ତି । ସରକାର ଏହାକୁ ବିଚାରକୁ ନେଇ କୌଣସି ପ୍ରକାର ନିଷ୍କର୍ଷ ରେ ନ ପହଞ୍ଚିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ପ୍ରକାଶ କରିଛି ।


