ଜଣେ କ୍ଲର୍କ ଓ ଦୁଇ ଜଣ ଶିକ୍ଷକରେ ଚାଲିଛି ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଘୋର ଦୁର୍ନୀତି ଓ ସଂପାଦକ ଙ୍କ ମନୋମୁଖୀ କାର୍ଯ୍ୟ ଏତେ ବଢିଗଲାଣି ଯେ ତାହା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ସଂପାଦକ ଦଣ୍ଡାସି ସାହୁ କୈାଣସି କର୍ମଚାରୀ ଙ୍କୁ ସଂପୁର୍ଣ୍ଣ ଦରମା ଦେଉନାହାନ୍ତି।ପିଲା ମାନଙ୍କ ପାଇଁ ଆସୁଥିବା ହଷ୍ଟେଲ ମେଣ୍ଟେନାସ୍ ପଇସା ବି ଖାଇଦେଉଛନ୍ତି। ବିଦ୍ୟାଳୟରେ ୪୦ ପିଲା ରହୁଥିବା ବେଳେ ୧୪୦ ପିଲାଙ୍କ ନାମ ଉପସ୍ଥାନ ଖାତାରେ ପକାଇ ସେମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଚାଉଳ, ରାସନ୍ ସାମଗ୍ରୀ, ସାବୁନ,ତେଲ, ଇତ୍ୟାଦି କେନ୍ଦ୍ରୀୟ ଅନୁଦାନକୁ ହଡ଼ପ କରୁଛନ୍ତି। ନାଲି ଆଖି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରି ପଇସା ନ ଦେବା ଫଳରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ କୁମାର ସାହୁଙ୍କ ସମେତ କୋୖଣସି ଷ୍ଟାଫ୍ ଦୀର୍ଘ ଦିନ ହେଲା ଆସୁନାହାଁନ୍ତି। ଫଳରେ ବିଦ୍ୟାଳୟରେ ପାଠ ପଢା ବ୍ୟାଘାତ ହେବା ସହ ବାର୍ଷିକ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇନାହିଁ। ବିଦ୍ୟାଳୟରେ ଶିକ୍ଷକମାନେ ନ ରହିବା ଯୋଗୁଁ କୋୖଣସି ପାଠପଢ଼ା ହେଉନାହିଁ।ବିଦ୍ୟାଳୟ ସଂପାଦକ ଦଣ୍ଡାସି ସାହୁ ଢେଙ୍କାନାଳରୁ ଭଡ଼ାରେ ଷ୍ଟାଫ୍ ମଗାଇ କ୍ଲର୍କକୁ ଧରି ତାଙ୍କ ଦ୍ଵାରା ପିଏଫ୍ଏମଏସ ଦ୍ଵାରା ମିଥ୍ୟା ବିଲ୍ ଭାଉଚର କରି ଘୋର ଦୁର୍ନୀତି କରୁଛନ୍ତି। ବିଦ୍ୟାଳୟର ଏଭଳି ଦୁର୍ନୀତି ହେଉଥିବାର ଜାଣିପାରି ବିଦ୍ୟାଳୟ ସଭାପତି ବାସନ୍ତୀ ମଳିକଙ୍କ ସମେତ ବହୁ କମିଟି ମେମ୍ବର ଦୀର୍ଘ ୩ ବର୍ଷ ହେଲାଣି ବିଦ୍ୟାଳୟକୁ ଆଉ ଆସୁନାହାଁନ୍ତି କି କୋୖଣସି ବୈଠକ ବହିରେ ଦସ୍ତଖତ କରିନାହାନ୍ତି। ଜଣେ କମିଟି ମେମ୍ବର ନିଜ ନାମ ଗୋପନ ରଖି କହିଛନ୍ତି ଯେ ବିଦ୍ୟାଳୟ ପରିଚାଳନା କମିଟି ମିଟିଙ୍ଗ ନ ହୋଇ କେବଳ କାଗଜପତ୍ରରେ ମିଟିଙ୍ଗ ଚାଲିଛି ବୋଲି ଦର୍ଶାଇ ଅନୁଦାନ ଟଙ୍କା ହଡ଼ପ କରୁଛନ୍ତି ଓ ମିଥ୍ୟା ରେଜୁଲେଶନ କରୁଛନ୍ତି। ସିସିଟିଭି ଲଗ୍ ବୁକ୍ ଯାଞ୍ଚ କଲେ ସବୁ ସତ୍ୟ ପଦାକୁ ଆସିବ।କମିଟି ମେମ୍ବର ମାନଙ୍କ ଦସ୍ତଖତ କ୍ଲର୍କ ଓ ସଂପାଦକ ମିଶି ଜାଲି ଦସ୍ତଖତ ପକାଉଛନ୍ତି ।କେବଳ କାଗଜପତ୍ରରେ ୨୦୦ ପିଲା ଓ ୬୫ ଷ୍ଟାଫ୍ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନକୁ ଦର୍ଶାଇ ଅନୁଦାନ ଅର୍ଥ ହଡ଼ପ କରୁଛନ୍ତି। ସଂପାଦକ ନିଜ କାମରେ ନିଜ ଗାଡି ନେଇ ପାରାଳାଖେମୁଣ୍ଡି ଗଲେ ମଧ୍ୟ ବିଦ୍ୟାଳୟ କାମରେ ଯାଇଥିବା ଦର୍ଶାଇ ଭଡା ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଭାଉଚର କରି ନେଇଯାଇଥିବା ଜଣା ପଡ଼ିଛି। ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଉଛନ୍ତି।ମେନୁ (ସାରଣୀ) ଅନୁସାରେ ଖାଇବାକୁ ଦେଉନାହାନ୍ତି। କେବଳ ପଖାଳ ଭାତକୁ ଆଳୁଭଜା ଖାଇବାକୁ ଦେଉଛନ୍ତି।ପ୍ରତ୍ୟେକ ପିଲା ପିଛା ମାସିକ ୨୫୦୦ ଟଙ୍କା ଓ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟାହ୍ନ ଭୋଜନ ଚାଉଳ ଅନୁଦାନ ଆସୁଥିଲା ବେଳେ ସଂପାଦକ ଓ କିରାଣୀ ଉଭୟ ମିଶି ହଡ଼ପ କରୁଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ ପିଲାମାନେ କ୍ଲାସ୍ କରିବାକୁ ଶ୍ରେଣୀ ଗୃହ ଅଭାବ ରହିଥିବା ବେଳେ କିରାଣୀ ମାଡାମ ବିଦ୍ୟାଳୟ ଭିତରେ କ୍ଲାସ୍ ରୁମ୍ ରେ ଗୋଟିଏ ରୁମ୍ ମାଡିବସି ରହୁଥିବା ଅଭିଯୋଗ ହୋଇଛି। ସବୁ କର୍ମଚାରୀ ବିଦ୍ୟାଳୟ ବାହାରେ ଘରଭଡ଼ା ନେଇ ରହୁଥିବା ବେଳେ ସେ କଣ ପାଇଁ ସେ ଭିତରେ ରହୁଛନ୍ତି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ କମିଟିରୁ ସଂପାଦକ ଦଣ୍ଡାସି ସାହୁକୁ ବହିଷ୍କାର ଓ ପ୍ରତ୍ୟେକ କର୍ମଚାରୀକୁ ସଂପୁର୍ଣ୍ଣ ଦରମା ଦେବାକୁ କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି ନଚେତ୍ ବିଦ୍ୟାଳୟକୁ ଚାବି ପକାଇ ଆନ୍ଦୋଳନ ଜୋରଦାର କରିବେ ବୋଲି କହିଛନ୍ତି।


