ପନ୍ଦାଡୋ ଇଞ୍ଚୋଳ କେନାଲ ରାସ୍ତାର ଦୁରାବସ୍ଥା, ସବୁ ଦେଖି ଚୁପ ବସିଛି ଜଳସମ୍ପଦ ବିଭାଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପନ୍ଦାଡୋ ଜିରୋ ଠାରୁ ଇଞ୍ଚୋଳ ପର୍ଯ୍ୟନ୍ତ ଯାଇଥିବା କେନାଲ ରାସ୍ତାଟିର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ପଡୁଛି । ଏହି ରାସ୍ତାଟି ଉପରେ ପନ୍ଦାଡୋ, ତେନ୍ତୁଲିପଦି, ମଠ, କପୁଣ୍ଡି, କୁଣ୍ଡିସାହି, ଖାଣ୍ଟପଦା, ଏଲକଣା ଆଦି ଗ୍ରାମର ଲୋକଙ୍କ ଦୈନଦିନର ଯିବା ଆସିବା ରାସ୍ତା ହୋଇଥିବାବେଳେ ଶାଳଣିଆଁ ଠାରୁ ଅଣା ପର୍ଯ୍ୟନ୍ତ ହଜାର ହଜାର ଲୋକମାନେ ନିର୍ଭର କରିଥାନ୍ତି । ଗତ କିଛିବର୍ଷ ପୁର୍ବେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା । ମାତ୍ର କେନାଲର ଲାଇନିଂ କାମ କରୁଥିବା ଠିକାସଂସ୍ଥା ଏହି କେନାଲ ଉପରେ ଭାରିଯାନ ଚଳାଚଳ କରାଇ ରାସ୍ତା ଗୁଡିକୁ ନଷ୍ଟଭ୍ରଷ୍ଟ କରିପକାଇଥିଲା । ଯାହାଦ୍ୱାରା କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ରାସ୍ତାର ଅବସ୍ଥା ଦିନ କେଇଟା ମଧ୍ୟରେ ଯଥା ପୁର୍ବଂ ତଥା ପରଂ ହୋଇପଡିଥିଲା । ଏବେ ଏହି ରାସ୍ତାରେ ସାଇକେଲଟିଏ ନେଇକରି ଯିବା ସମ୍ଭବପର ହେଉ ନାହିଁ । ରାସ୍ତାରେ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହୁଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଧନ ଜୀବନ ହାନୀ ଘଟୁଛି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିବାବେଳେ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ମଧ୍ୟ ଯାତାୟତ କରି ରାସ୍ତାର ଅବସ୍ଥା ଦେଖୁଥିଲେ ମଧ୍ୟ ପ୍ରତିକାର ନିମିତ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜଳସମ୍ପଦ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।