ପୌର ପ୍ରଶାସନ ପକ୍ଷରୁ ପାନୀୟ ଜଳ ସେବା କେନ୍ଦ୍ର ଲୋକାର୍ପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ବଦଳିଛି ପାଗ । ଦଣ୍ଡଯାତ୍ରା ମଧ୍ୟ ଶେଷ ହୋଇଛି । ଆଉ ହଠାତ୍ ପାଗରେ ପରିବର୍ତ୍ତନ ସହ ମୁଣ୍ଡପଟା ଖରା ଏବେ ସାଧାରଣ ଲୋକଙ୍କୁ କଲବଲ କରୁଛି । ସହରର ତାପମାତ୍ରା ୪୦ ଂରୁ ଉର୍ଦ୍ଧ ରହିଥିବା ବେଳେ ତତଲା କଡେଇରେ ରହିଛି ହିଞ୍ଜିଳିକାଟୁ ସହର । ଦିନସାରା ଦେହରୁ ଝାଳ ଶୁଖୁନାହିଁ । ସକାଳ ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଅତ୍ୟାବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ ଉଚିତ ମଣୁନାହାନ୍ତି । ଘରୁ ବାହାରକୁ ବାହାରିଲେ ଦରକାର ପଡୁଛି ପାଣି ବୋତଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ତୃଷାତର ଶୋଷ ମେଣ୍ଟାଇବା ପାଇଁ ହିଞ୍ଜିଳିକାଟୁ ପୌର ପ୍ରଶାସନ ଅଣ୍ଟା ଭିଡିଛି । ଶୁକ୍ରବାର ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳର ୩ଟି ପୃଥକ ସ୍ଥାନରେ ଜନସାଧାରଣଙ୍କ ସକାଶେ ପାନୀୟ ଜଳ ସେବା କେନ୍ଦ୍ରର ଲୋକାର୍ପଣ କରାଯାଇଛି । ସ୍ଥାନୀୟ ପୌରାଞ୍ଚଳ ବସ ଟର୍ମିନାଲ, ବଇଁଚବଣିଆ ଛକ ଓ ତରାତାରିଣୀ ମୁଖ୍ୟ ସଡକ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ପାନୀୟ ଜଳ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ପ୍ରଥମ ଦିବସରେ ନବାତ, ଚହ୍ଲା ପଣା ସାଙ୍ଗକୁ ଶୀତଳ ପାନୀୟ ଜଳ ବଣ୍ଟନ କରାଯ୍ଧବଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍୍ରମରେ ମୁଖ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଯୋଗଦେଇ ପାନୀୟ ଜଳ ସେବା କେନ୍ଦ୍ରର ଲୋକାର୍ପଣ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ନଗର ବିଜେଡି ସଭାପତି ଭୀମସେନ ବେହେରା, ଥାନା ଆଇଆଇସି ଅଭିମନ୍ୟୁ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ପୌରାଞ୍ଚଳର ବ୍ଳକ ଛକ, ବିଜୁ ପଟ୍ଟନାୟକ ଛକ ଓ କଲେଜ ଛକରେ ମଧ୍ୟ ପାନୀୟ ଜଳ ସେବା କେନ୍ଦ୍ର ସ୍ଥାପନ କରାଯିବା ସହ ଜୁନ ମାସ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ବେହେରା, ବିବେକାନନ୍ଦ ମହାପାତ୍ର, ଇ. କିଶାନ କୁମାର ପାତ୍ର, ସୁନିଲ ନାହାକ, ମାନସ ଦିଗାଲ, ଏ ମୋହାନ ଆଚାରୀ, ସୌମ୍ୟରଞ୍ଜନ ଗ୍ରହାଚାର୍ଯ୍ୟ, ସୁବାଷ ପଟ୍ଟନାୟକ, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ବସନ୍ତ ବେହେରା, ରୋହିତ ବିଷୋୟୀ, ଭିକା ବେହେରା, ଶ୍ୟାମଘନ ବେହେରା, କିଶୋର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।


