ପରିବାର ଲୋକଙ୍କ ଅତ୍ୟାଚାର ସହିନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବାହାରିପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସମ୍ପତ୍ତିବାଡିକୁ କେନ୍ଦ୍ରକରି ପରିବାର ଲୋକଙ୍କ ଅତ୍ୟାଚାର ସହିନପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ବିଦ୍ୟାଧର ବିଶ୍ୱାଳ ଓ ତାଙ୍କ ବଡପୁଅ ମିଶିକରି ସାନପୁଅ ପବିତ୍ର ବିଶ୍ୱାଳ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବାରୁ ପବିତ୍ର ଗତକାଲି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଦ୍ୟାଧର ବିଶ୍ୱାଳଙ୍କ ଦୁଇପୁଅ ଥିବାବେଳେ ବିଦ୍ୟାଧର ନିଜର ସମସ୍ତ ସମ୍ପତ୍ତିକୁ ବଡବୋହୁ ନାମରେ କରିଦେବାରୁ ସାନପୁଅ ପବିତ୍ର ଏହାର ବିରୋଧ କରିବା ସହ ନିଜର ହକ ପାଇଁ ଦାବି କରିଥିଲା । ଏହାକୁନେଇ ଗତ ୬/୭ମାସ ହେଲା ପରିବାର ସହିତ ପବିତ୍ରର ଝଗଡା ଝାଟି ଲାଗି ରହୁଥିଲା । କିଛିମାସ ପୁର୍ବେ ପରିବାର ଲୋକେ ମିଳିମିଶି ପବିତ୍ରକୁ ବାନ୍ଧି ପିଟାପିଟି କରି ତାର ଗୋଡ ଭାଙ୍ଗି ଦେଇଥିଲେ । ପବିତ୍ରର ମାମୁଁ ପବିତ୍ରକୁ ଡାକ୍ତରଖାନା ନେଇ ଭଲକରି ଆଣିଥିଲେ । ପବିତ୍ର ଘରକୁ ନଯାଇ ଗାଁର କ୍ଲବ ଘର ଓ ଗାଁ ଅନ୍ୟ କିଛି ଲୋକଙ୍କ ଘରେ ଆଶ୍ରୟ ନେଇ ରହୁଥିଲା । ଏପରିକି ଏହାର ସମାଧାନ ପାଇଁ ଗାଁରେ ଦୁଇ ଦୁଇଥର ବୈଠକ ବସିଥିଲେବି କିଛି ସୁଫଳ ମିଳିନଥିଲା । ଗତକାଲି ପବିତ୍ର ବାହାରକୁ ବାହାରି ଚଲାବୁଲା କରିଥିବାବେଳେ ତାକୁ ତାର ବାପା ଗାଁ ମୁଣ୍ଡରେ ଗାଳି ଗୁଲଜ କରିବାରୁ ପବିତ୍ର ମାନସିକ ଭାରସାମ୍ୟ ହରାଇ ଗାଁ ମୁଣ୍ଡ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଥିଲା । ଗତକାଲି ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ହୋଇ ଗାଁରେ ଶବ ପହଞ୍ଚିବାପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ପୁଲିସ ଗାଁରେ ପହଞ୍ଚିବାପରେ ଗାଁ ଲୋକେ ପୁଲିସକୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ପରେ ପୁଲିସ ବୁଝା ସୁଝା କରିବାପରେ ପବିତ୍ରର ମାମୁଁ ଶବକୁ ନେଇ ସକ୍ରାର କରିଥିବା ଜଣାଯାଇଛି । ପରିବାର ଲୋକଙ୍କ ଏପରି ନିର୍ଯ୍ୟାତନାକୁ ନେଇ ଗଁ ଲୋକମାନେ ବିରୋଧ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏବେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି, ଗାଁ ଲୋକଙ୍କ ଅଭିଯୋଗ ମଧ୍ୟ ରଖାଯାଇଛି । ପୁର୍ବରୁ ମଧ୍ୟ ବାପ ପୁଅଙ୍କ ମଧ୍ୟରେ ଅନେକଥର ମାଡପିଟିକୁ ନେଇ ଥାନାରେ ମାମଲା ଅଛି । ସବୁର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଥାନା ଆଇଆଇସି କହିଛନ୍ତି ।


