ବମକୋଇ ଠାକୁରାଣୀ ଯାତ୍ରାରେ ହିଂସାକାଣ୍ଡ ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ଠାକୁରାଣୀ ଯାତ୍ରା ଅବସରରେ ଗତ ମଙ୍ଗଳବାର ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମୟରେ ସଂଘଟିତ ହିଂସାକାଣ୍ଡ ରେ  କେ. ନୂଆଗାଁ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି।ସେ ହେଲେ ବମକୋଇ ଗ୍ରାମର ଶ୍ରୀକାନ୍ତ ପ୍ରଧାନ ।ଥାନା ମାମଲା ନଂ. ୧୭୪/୨୩ ଅନୁଯାୟୀ  ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ବମକୋଇ ଗ୍ରାମରେ  ମାଁ ବାମଦେବୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ପ୍ରତ୍ଯହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।ଗତ ସୋମବାର ରାତିରେ ଅପେରା ମଞ୍ଚସ୍ଥ ସମୟରେ କରପଡା ଗ୍ରାମର ରିତେଶ ପ୍ରଧାନ ଓ ତାଙ୍କ ସହଯୋଗୀ ମିଶି ନିଶାସକ୍ତ ଅବସ୍ଥାରେ ମଞ୍ଚ ଉପରକୁ ପାଣି ବୋତଲ ଫିଙ୍ଗି ଥିଲେ।କମିଟି ପକ୍ଷରୁ ସେମାନଙ୍କୁ ତାଗିଦ କରାଯାଇ ବାହାର କରାଯାଇଥିଲା।ମଙ୍ଗଳବାର ରାତିରେ ପୁଣି ଅନ୍ୟ ଏକ ଅପେରା ମଞ୍ଚସ୍ଥ ସମୟରେ ମେଡିକାଲ ରୋଡରେ ରିତେଶଙ୍କ ଗୋଷ୍ଠି ସହ ଯାତ୍ରା କମିଟିର କିଛି ସଦସ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।ଆକ୍ରମଣ ପ୍ରତି ଆକ୍ରମଣରେ ବମକୋଇ ଗ୍ରାମର ବସନ୍ତ ପ୍ରଧାନଙ୍କ ମୁଣ୍ଡ ଫାଟି ଆହତ ହୋଇଥିବା ବେଳେ କରପଡାର ରିତେଶଙ୍କ ପେଟକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସେ ଗୁରୁତର ହୋଇଥିଲେ।ସେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ  ଚିକିତ୍ସାଧୀନ ରହିଛନ୍ତି।ପ୍ରଥମେ ଏହା ଛୁରାମାଡ ବୋଲି ଅନୁମାନ କରାଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ସମୟରେ ଏହା ଧାରୁଆ ବ୍ଲେଡରେ ଆକ୍ରମଣ ବୋଲି ଜଣାପଡିଛି।ଏପରିକି ଅଭିଯୁକ୍ତଙ୍କ ଠାରୁ ସେହି ରକ୍ତଲଗା ବ୍ଲେଡଟିକୁ ମଧ୍ୟ ଜବତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ