ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ପ୍ରେସ୍ ବିବୃତ୍ତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ କାର୍ଯ୍ୟକ୍ରମ । ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ବାଧ୍ୟହୋଇ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲ୍ଲାସ୍ତରୀୟ ଅମଲା ସଙ୍ଗଠନ ଗୋଟିଏ ଛାତତଳେ ଏକତ୍ରିତ ହୋଇ ଏକ ବୃହତ୍ତର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଠନକରି ଗତ ତା.୦୯.୦୪.୨୦୨୩ରେ ଭୁବନେଶ୍ୱରର ଗୀତଗୋବିନ୍ଦ ଭବନ ଠାରେ ନିଷ୍ପତ୍ତି ନେଲେ ଯେ, ରାଜ୍ୟର ୩୦ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ହାରରେ ଦରମା ସମୀକରଣ କରି ଦରମା ହାର ଲେବୁଲ୍-୪ରୁ ଲେବୁଲ-୯କୁ ଉନ୍ନତି କରିବା ପାଇଁ ଏକ ସ୍ମାରକପତ୍ର ତା.୨୧.୦୪.୨୦୨୩ରେ ପ୍ରଦାନ କରାଯାଇଥିଲା । ଏଥିରେ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମଇ ମାସ ୧ ତାରିଖ ଦିନ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କୁ ମେ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲାସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବାପାଇଁ ଅନୁରୋଧ କରାଯାଇଥିଲା । ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ ନେଇ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ମେ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରାଯିବ ଏବଂ ତା.୦୧.୦୬.୨୦୨୩ ଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅମଲା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ସମୂହ ଛୁଟିରେ ଯିବେ ବୋଲି ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ଦୀର୍ଘବର୍ଷ ହେଲା ଜିଲ୍ଲାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ଏହାଦ୍ୱାରା ଜିଲ୍ଲାସ୍ତରୀୟ ଅମଲାମାନଙ୍କ ମନରେ ଘୋର ନୈରାଶ୍ୟଭାବ ଓ ଅସନ୍ତୋଷ ଦେଖାଦେଇଛି । ଯାହାର ଫଳସ୍ୱରୂପ ଆଗାମୀ ଦିନରେ ଏକ ବିଶାଳ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି । ଏହାର ପରିଣାମ ନିଶ୍ଚିତ ଭାବରେ ରାଜ୍ୟ ସରକାରଙ୍କ ପାଇଁ କ୍ଷତି ପହଞ୍ଚାଇବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିରେ କ୍ଷୋଭ ପ୍ରକାଶକରି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ପ୍ରକାଶ କରିଥିଲେ ଯେ, ଏହା ଜିଲ୍ଲାସ୍ତରୀୟ ଅମଲାଙ୍କର ପେଟପାଟଣାର କଥା ଓ ଆତ୍ମସମ୍ମାନର କଥା ଏବଂ ସରକାରଙ୍କ ଦ୍ୱାରା ବାରମ୍ବାର ପ୍ରତାରିତ ହେବାପରେ ଏଭଳି ଏକ ଚରମ ପଦକ୍ଷେପ ନେବାକୁ ଆମ୍ଭେ ବାଧ୍ୟ ହେଉଅଛୁଁ । ଆମର ବାଧ୍ୟବାଧକତାକୁ ଜନସାଧାରଣ ଅନୁଭବକରି ଆମ୍ଭଙ୍କୁ ସହଯୋଗ କରିବେ ବୋଲି ଆମ୍ଭର ଆଶା ଓ ବିଶ୍ୱାସ । ଏଥିରେ ଅଂଶଗ୍ରହଣ କରି ଓଡ଼ିଶା ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ଜ୍ଞାନରନ ଦାସ, ସାଧାରଣ ସମ୍ପାଦକ ତଥା ଆବାହକ ଶ୍ରୀ ଚିତ୍ତରଞ୍ଜନ ତରାସିଆ, ରାଜସ୍ୱ ଅମଲାସଂଘର ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ଓଡ଼ିଶା ଟ୍ରେଜେରୀ ଅମଲାସଂଘର ରାଜ୍ୟ ସଭାପତି ଶ୍ରୀ ସମର କାନୁନ୍ଗୋ, ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ରାଉତରାୟ, ରାଜ୍ୟ ଉପ-ନିବନ୍ଧକ ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ବିଭୁଦତ୍ତ ବାରିକ, ସାଧାରଣ ସମ୍ପାଦକ ଶ୍ରୀ ରାକେଶ ମହାନ୍ତି ସରକାରଙ୍କୁ ଚେତାବନୀ ଦେଇ, ଏହାର ପରିଣାମ ପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ମତ ପ୍ରକାଶ କରିଥିଲେ । ଏଠାରେ ପ୍ରକାଶ କରାଯାଇପାରେ ଯେ, ରାଜ୍ୟ ସରକାର ୨୦୧୭ ମସିହା ଠାରୁ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳଶୂନ୍ୟ ହୋଇଅଛି । ଏଠାରେ ପୂନର୍ବାର ପ୍ରକାଶ କରାଯାଇପାରେ ଯେ, ଜିଲ୍ଲାସ୍ତରୀୟ ଅମଲାମାନେ ତୃଣମୂଳ ସ୍ତରରେ କାର୍ଯ୍ୟକରି ଜିଲ୍ଲାସ୍ତରରେ ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ କରିଥାନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟରତ ପରିଶ୍ରମର ଶ୍ରେୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ମିଳିଥାଏ, ଅଥଚ ଜିଲ୍ଲାସ୍ତରୀୟ ଅମଲାମାନଙ୍କୁ ମିଳିଥାଏ ଅବହେଳା ଏବଂ ପ୍ରତାରଣା । ଆଜିର ଖବରଦାତା ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଉଅଛି କି, ଯଦି ଧାର୍ଯ୍ୟ ସମୟସୀମା ଅର୍ଥାତ୍ ତା.୩୧.୦୫.୨୦୩ ମଧ୍ୟରେ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆନ୍ଦୋଳନ ନିଶ୍ଚିତ ଏବଂ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ।


