ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ସୃଷ୍ଟିଧର ପରିଡ଼ାଙ୍କୁ ସାମ୍ବାଦିକ ମହଲରୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଜୀବନବ୍ୟାପୀ ସାରସ୍ୱତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ନିକଟ ଅତୀତରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିବା ଦୈନିକ ଓଡ଼ିଆ ଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କୁ ବାଲେଶ୍ୱରର ସାମ୍ବାଦିକ ମହଲରୁ ମଙ୍ଗଳବାର ସମ୍ମାନିତ କରାଯାଇଛି ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସାମ୍ବାଦିକ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀଶଙ୍କର ଭୂୟାଁ, ବରିଷ୍ଠ ସାମ୍ବାଦିକ ରଂଜନ ବାଗ, ଦେବବ୍ରତ ପାଣିଗ୍ରାହୀ, ଗଙ୍ଗାଧର ରାଉତ, ‘ସମାଜ’ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଂଜନ ମଲିକ ପ୍ରମୁଖ ଯୋଗଦେଇ ଶ୍ରୀ ପରିଡ଼ାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ମାନିତ କରିଥିଲେ । ବାଲେଶ୍ୱରର ଜଣେ ଆଗ ଧାଡ଼ିର ସାହିତ୍ୟିକ, କବି, ପ୍ରାବନ୍ଧିକ ତଥା ଖବର କାଜର ମୁଖ୍ୟ ସମ୍ପାଦକ ଭାବେ ଶ୍ରୀ ପରିଡ଼ାଙ୍କୁ ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ କରିବା ଜିଲା ପାଇଁ ଗୌରବର ବିଷୟ ବୋଲି ସେମାନେ କହିଥିଲେ । ତାଙ୍କର ସୁସ୍ଥ ନିରାମୟ ଜୀବନ ସାଙ୍ଗକୁ ସାରସ୍ୱତ ସାଧନା ଏମିତି ଜାରି ରହିଥାଉ ବୋଲି ଉପସ୍ଥିତ ଅତିଥି-ବକ୍ତା ଓ ସାମ୍ବାଦିକମାନେ କାମନା କରିଥିଲେ । ସମ୍ମାନିତ ଅବସରରେ ଶ୍ରୀ ପରିଡ଼ା ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ବିଭିନ୍ନ ସାହିତ୍ୟ କୃତି ଓ ସାରରସ୍ୱତ ସାଧନାର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ସମ୍ବର୍ଦ୍ଧନା ପର୍ବରେ ବାଲେଶ୍ୱରର ବହୁ ସାମ୍ବାଦିକ ଯୋଗଦେଇ ଶ୍ରୀ ପରିଡ଼ାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।


