ବିଦ୍ୟୁତ ସଂଯୋଗ ଦାବି ରେ ବିକ୍ଷୋଭ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ରୁବ ସାହି ଗାଁ କୁ ବିଦ୍ୟୁତ ସଂଯୋଗୀ କରଣ କରାଯିବା ଦାବି ରେ ସୋମବାର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭାଜପା ନେତା ଇଂ. ଉତ୍ତମ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ କୁରେଶୁ ଶବର, ଜୁର ଶବର,ନରସିଂହ ଶବର, କ୍ଷେତ୍ର ଶବର,ଋଷି ଶବର, ବୀର ଶବର,ଲକ୍ଷ୍ମଣ ଶବର,ରାମ ଶବର, ରଞ୍ଜନ ଶବର,ସନ୍ତୋଷ ଶବର, ଚୈତନ୍ୟ ସାହୁ,ଟୁକୁନା ପାଇକ ପ୍ରମୁଖ ଗ୍ରାମବାସୀ ଏବଂ ଭାଜପା କାର୍ଯ୍ୟକର୍ତ୍ତା ରଘୁନାଥ ସାମନ୍ତରା, ରବୀନ୍ଦ୍ର ମିଶ୍ର, ହରି ପ୍ରଧାନ,ଅନିଲ ମିଶ୍ର,ଶତ୍ରୁଘ୍ନ ସାହୁ,ଅଭିମନ୍ୟୁ ସେଠୀ,ବାବୁଲା ବିଷୋୟୀ, ଜୟ ବିଷୋୟୀ, କାହ୍ନୁ ରେଡ୍ଡୀ, ନୀର ସାହୁ,ତପନ ଅଧିକାରୀ ପ୍ରମୁଖ ଦିଗପହଣ୍ଡି ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଙ୍କୁ ସାକ୍ଷାତ କରି ସବିଶେଷ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ରୁବ ସାହି ଗ୍ରାମରେ ୧୬ ଟି ପରିବାର ବହୁବର୍ଷ ହେଲା ବସବାସ କରୁଛନ୍ତି।ସେମାନଙ୍କ ଘର ଗୁଡ଼ିକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନାହିଁ । ସ୍ବାଧୀନତାର ବହୁବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀ ଅନ୍ଧାର ରେ ଜୀବନ ବିତାଉଛନ୍ତି। କେନ୍ଦ୍ର ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ ବିଦ୍ୟୁତ କରଣ ଯୋଜନା ଏଠି ଫେଲ୍ ମାରିଛି। ବିଦ୍ୟୁତ ନଥିବାରୁ ରାତିରେ ବନ୍ୟଜନ୍ତୁ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ସନ୍ଧ୍ୟା ହେଲେ ଭୟରେ ଲୋକେ ଘରେ ତାଟି କବାଟ ପକାଇ ରହୁଛନ୍ତି।ସାମାନ୍ୟ ମୋବାଇଲ ଚାର୍ଜ ପାଇଁ ପାଖ ଗାଁ ଉପରେ ଲୋକେ ନିର୍ଭର କରୁଛନ୍ତି। ଡିଜିଟାଲ ଇଣ୍ଡିଆ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଡିବିରୀ ଆଲୁଅରେ ପିଲେ ପାଠ ପଢୁଥିବା ବେଳେ କାଠ ଜାଳି ଲୋକେ ଘରେ ଚଳପ୍ରଚଳ ହେଉଛନ୍ତି। ଗାଁ ର ଚାରିପଟେ ଥିବା ଅନ୍ୟ ଗାଁ ଗୁଡିକରେ ବିଦ୍ୟୁତ ବ୍ୟବସ୍ଥା କରାଯାଇଥିବା ବେଳେ ରୁବ ସାହି ଗାଁ ଲୋକେ ବିଦ୍ୟୁତ ବ୍ୟବସ୍ଥାରୁ ବଞ୍ଚିତ ହୋଇପଡ଼ିଛନ୍ତି। ତୁରନ୍ତ ଗାଁ କୁ ବିଦ୍ୟୁତିକରଣ କରାନଗଲେ ଗ୍ରାମବାସୀ ଙ୍କ ପକ୍ଷରୁ ପୁଣିଥରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।


