ଜିଲ୍ଲାସ୍ତରୀୟ ଯୁବ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯୁବାବସ୍ଥା ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ୍ ସମୟ । ଏହାକୁ ଯିଏ ଭଲଭାବେ ଉପଯୋଗ କରିପାରେ ସେ ତାହାର ମହାର୍ଘ୍ୟ ଉପଲବ୍ଧି କରିପାରିଥାଏ । ଯୁବଶକ୍ତି ହେଉଛି ରାଷ୍ଟ୍ରର ଶକ୍ତି । ଦେଶ ବିକାଶରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତା, ଚେତନା ଓ ସେବା ମନୋଭାବ ଯୁବକମାନଙ୍କ ମୂଳ ଲକ୍ଷ୍ୟ ହେଉ ବୋଲି ଜିଲ୍ଲାସ୍ତରୀୟ ଯୁବ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ରୂପେ ପ୍ରଫେସର ବ୍ରହ୍ମାନନ୍ଦ ଶତପଥି, ଭାରତ ସରକାରଙ୍କ ଇଲୋକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଉପ ନିର୍ଦ୍ଦେଶକ ଉମାକାନ୍ତ ତ୍ରିପାଠୀ, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଉପ ଆଞ୍ଚଳିକ ନିୟୋଜନ ଅଧିକାରୀ ତପନ କୁମାର ରାଉଳ, ଜାତୀୟ ଯୁବ ପ୍ରକଳ୍ପର ମଧୁସୁଦନ ଦାସ, ଓରମାସ୍ର ଜିଲ୍ଲା ସଂଯୋଜକ ବିମଲ ଚନ୍ଦ୍ର ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ଡ଼ ପ୍ରିୟନାଥ ପଟ୍ଟନାୟକ ଏବଂ ନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀ ବିପିନ କୁମାର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଯୁବକ, ଯୁବତୀମାନଙ୍କ ମଧ୍ୟରେ ଚିତ୍ରକଳା, ତର୍କ, କବିତା ଲିଖନ, ଫଟୋଗ୍ରାଫି ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତି ବିଭାଗର କୃତୀ ୩ଜଣ ପ୍ରତିଯୋଗୀଙ୍କୁ ଅତିଥିମାନେ ଟ୍ରଫି, ମାନପତ୍ର ଓ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଯୁବକ ଯୁବତୀ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାର ବିକାଶ ହେଉଛି ଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଯୁବ ଅଧିକାରୀ କହିଥିଲେ । କାର୍ଯ୍ୟକ୍ରମକୁ କୁଳମଣି ମଲ୍ଲିକ, ଶୁଭେନ୍ଦ୍ର ନାଥ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ସମ୍ପର୍କରେ ୫ଟି ଷ୍ଟଲ୍ ଉକ୍ତ ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ।


