କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଗଣବିକ୍ଷୋଭ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଘନ ଘନ ବିଜୁଳି କାଟ ଓ ଅହେତୁକ ବିଜୁଳି ଦର ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱାନରେ ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କ ସଭାପତିତ୍ୱରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜୟନ୍ତ ମହାନ୍ତି, ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଫୁଲ୍ଲ ଦାସ, ରକ୍ତିକାନ୍ତ କାନୁନଗୋ,ମଙ୍ଗୁଳି ଚରଣ ବେହେରା, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ଚିତ୍ରସେନ ପରିଡା, ନାରାୟଣ ଚନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ ଜେନା, ପ୍ରଦୀପ ପ୍ରଧାନ, ରାକେଶ ମହାନ୍ତି, ଫକିର ଚରଣ ଖଟୁଆ, ହିବଜୁର ରହେମାନ, ଉମାଶଙ୍କର ଜେନା, ମିର ମୁର୍ସିଦ, ଅନନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ବିଦ୍ୟୁତ ଗ୍ରାହକଙ୍କୁ ବର୍ଷ ବର୍ଷ ଧରି ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାରେ ବିଭିନ୍ନ ସମୟରେ ବିତରକ କମ୍ପାନୀ ମାନେ ବିଫଳ ହୋଇଛନ୍ତି । ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ବିଭିନ୍ନ ସମୟରେ ବିଦ୍ୟୁତ ବିତରକ କମ୍ପାନୀ, ଗ୍ରୀଡ଼କୋ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଶୋଷଣ କରିବାରେ ଲାଗିଛନ୍ତି । ରାଜ୍ୟରେ ୟୁନିଟ ପିଛା ବିଦ୍ୟୁତ ଦର ଅନ୍ୟ ରାଜ୍ୟ ତୁନଳରେ ବହୁ ଅଧିକ । ଏପରିକି ଯେଉଁ ରାଜ୍ୟମାନେ ଓଡ଼ିଶାରୁ ବିଦ୍ୟୁତ କ୍ରୟ କରୁଛନ୍ତି, ସେମାନେ ସେ ରାଜ୍ୟର ଜନସାଧାରଣଙ୍କୁ ଓଡ଼ିଶାରେ ଆଦାୟ କରାଯାଉଥିବା ବିଦ୍ୟୁତ ଦେୟଠାରୁ କମ୍ ମୂଲ୍ୟରେ ବିଦ୍ୟୁତ ଦେଉଛନ୍ତି । ଏକଥା ଏ ରାଜ୍ୟ ସରକାରଙ୍କୁ, ବିତରକ କମ୍ପାନୀ ଓ ଗ୍ରୀଡ଼କୋକୁ ଜଣାଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଶକ୍ତି ବିଭାଗର ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ ହେଉନାହିଁ । ତାହାଲେ ବାରମ୍ବାର ଯେଉଁ ବିଦ୍ୟୁତ ଯୋଗାଣ ବନ୍ଦ ହେଉଛି ତାହାକୁ କ’ଣ କୁହାଯିବ? ମୁଖ୍ୟମନ୍ତ୍ରୀ, ରାଜ୍ୟର ଶକ୍ତି ମନ୍ତ୍ରୀ ଓ ଶକ୍ତି ସଚିବଙ୍କର ବିଦ୍ୟୁତକାଟ୍‌ର ସଫେଇରେ କୌଣସି ତାଳମେଳ ରହୁନାହିଁ । ଯିଏ ଯେଉଁ ସମୟରେ ଯାହା ଭାବୁଛନ୍ତି ତାହା କହୁଛନ୍ତି, କିନ୍ତୁ ବିଦ୍ୟୁତ ଯୋଗାଣ ନିରବଚ୍ଛିନ୍ନ ହେବା ପରିବର୍ତେ ଅଧିକରୁ ଅଧିକ ବିଦ୍ୟୁତ କାଟ ଦିନକୁ ଦିନ ବୃଦ୍ଧି ପାଉଛି । ଏହା ହେଉଛି ୨୩ ବର୍ଷର ନିରନ୍ତନ ଶାସନ ବ୍ୟବସ୍ଥାରେ ରହିଥିବା ବିଜୁ ଜନତା ଦଳ ସରକାରର ସବୁଠାରୁ ବଡ଼ ବିଫଳତା । ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟ ସରକାର ୨୨ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତିଭୂମିର ନବୀକରଣ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି ଦର୍ଶାଇଛନ୍ତି । ଅପରପକ୍ଷରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ୨୦ ହଜାର କୋଟି ଟଙ୍କାର ବିଦ୍ୟୁତ ଭିତିଭୂମିର ନବୀକରଣ ପାଇଁ ପୁଞ୍ଜି ବିନିଯୋଗ ହୋଇଥିବାର ତଥ୍ୟ ସରକାର ଦେଇଛନ୍ତି । ଯଦି ୨୩ ବର୍ଷ ଭିତରେ ରାଜ୍ୟରେ ବିଦ୍ୟୁତ ଭିତିଭୂମିର ନବୀକରଣ ଓ ପୁନଃ ବିନ୍ୟାସ ପାଇଁ ୪୨ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି ତାହାଲେ, ଟାଟା ପାୱାରର ସିଇଓ ପ୍ରଭୀନ ସ୍ନିହା ଓଡ଼ିଶାର ବିଦ୍ୟୁତ ଭିତିଭୂମି ସଂପୂର୍ଣ୍ଣ ରୁଗ୍‌ଣ ଅବସ୍ଥାରେ ଅଛି ବୋଲି କିଭଳି କହିଲେ । ତାହାଲେ ଏତେ ଗୁଡ଼ିଏ ଟଙ୍କା କିଏ କେଉଁ ଉଦ୍ଦେଶ୍ୟରେ ଓ କିଭଳି ଭାବରେ ଖର୍ଚ୍ଚ କରାଯାଇଛି, ତାହାର ଉତ୍ତର ରାଜ୍ୟବାସୀଙ୍କ ପାଖରେ ରଖାଯାଉ ନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ସମସ୍ତେ ନିଦା ବିଷ୍ଣୁ ସାଜିଛନ୍ତି । ଓଡ଼ିଶାରେ ରିଲାଏନ୍‌ସ ବିତରକ କମ୍ପାନୀଠାରୁ ଗ୍ରୀଡ଼କୋ ୫୧% ର ଅଂଶ ୨୦୧୯ ମସିହାରେ କିଣିଲା । ପରବର୍ତୀ ପର୍ଯ୍ୟାୟରେ ସେହି ୫୧% ଅଂଶକୁ ଟାଟା ପାୱାରକୁ ବିକ୍ରି କରାଗଲା । କିନ୍ତୁ ପ୍ରଦେଶ କଂଗ୍ରେସର ଦାବି ଏ ଯେଉଁ ଅଂଶଧନ କିଣାବିକା ହୋଇଥିଲା ତାହାର ଏକ ଏଗ୍ରିମେଂଟର କପି ସର୍ବସାଧାରଣଙ୍କ ଗୋଚରରେ ରଖାଯାଉ ନାହିଁ କାହିଁକି? ଏଥିରେ କେତେ ଲାଭ ହୋଇଥିଲା ବା କ୍ଷତି ହୋଇଥିଲା ଏହାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସୀଙ୍କ ପାଖରେ ରଖାଯାଉ ଉପସ୍ଥିତ ବକ୍ତାମାନେ ଦାବି କରିଥିଲେ । ସେମାନଙ୍କର ଦାବି ଗୁଡିକ ହେଲା ଜିଲ୍ଲାର ବିଦ୍ୟୁତକାଟ୍ ତୁରନ୍ତ ବନ୍ଦ କରାଯାଉ ଏବଂ ଗ୍ରାହକଙ୍କୁ ଅନବରତ ଭାବେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରାଯାଉ, ଅହେତୁକ ବିଦ୍ୟୁତ ଦର ବୃଦ୍ଧିକୁ କମ୍ କରାଯାଉ, ବିଦ୍ୟୁତ ଦେୟ ପ୍ରତିମାସରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ଆଦାୟ କରାଯାଉ, ବକେୟା ବିଦ୍ୟୁତ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୋର ଜୁଲମ କରି ଯେଉଁ ସୁଧ ସହ ବିଦ୍ୟୁତ ଦେୟ ଆଦାୟ କରାଯାଉଛି ସେଥିରୁ ତୁରନ୍ତ ନିବୃତ ରୁହନ୍ତୁ । ନଚେତ୍ ପରିସ୍ଥିତି ପାଇଁ ଅଧିକାରୀମାନେ ଦାୟୀ ରହିବେ, ବିଦ୍ୟୁତ ଭିତିଭୂମି ପାଇଁ ଖର୍ଚ୍ଚ କରାଯାଇଥିବା ୧୫ ହଜାର କୋଟି ଟଙ୍କା ଶ୍ୱେତପତ୍ର ସରକାର ତୁରନ୍ତ ପ୍ରକାଶ କରନ୍ତୁ । ଉପରୋକ୍ତ ଦାବୀକୁ ଅତିଶୀଘ୍ର ଗ୍ରହଣ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ । ଯଦି ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରାଯାଏ ପ୍ରଦେଶ କଂଗ୍ରେସ ସାରା ରାଜ୍ୟରେ ଜିଲ୍ଲା ଠାରୁ ବ୍ଲକସ୍ତର ପର୍ଯ୍ୟନ୍ତ ଜନ ଆନ୍ଦୋଳନ କରିବା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ଆହ୍ୱାନ ଦେଇଛନ୍ତି । ଶେଷରେ ବିଦ୍ୟୁତ ନିର୍ବାହୀ ଅଧିକାରୀଙ୍କୁ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିବାଦ ସଭାରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମି ଉପସ୍ଥିତ ଥିଲେ । ସେଠାରେ କଂଗ୍ରେସ କର୍ମିମାନେ ପ୍ରତିବାଦ ସ୍ୱରୁପ ଅଣ୍ଡା ଓ ଟମାଟରକୁ ପୁଜା ଅର୍ଚ୍ଚନା କରିବା ପରେ ବିଦ୍ୟୁତ କାର୍ଯ୍ୟାଳୟକୁ ଏହାକୁ ମାଡ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ