ମାସେ ପୁର୍ବରୁ ଚୋରି ବୋଲେରୋକୁ ଫେରାଇଦେଲା ଚୋର
ହାଟଡିହିି, (ବିକାଶ ବିଶ୍ୱାଳ):ମାସେ ପୁର୍ବରୁ ଚୋରି ହୋଇଥିଲା ବୋଲେରୋ ଗାଡି । କିନ୍ତୁ ଗତକାଲି ରାତିରେ ଚୋର ବୋଲେରୋ ଗାଡିଟିକୁ ବିଳମ୍ବିତ ରାତିରେ ଆଣି ଗାଁ ଦାଣ୍ଡ ରାସ୍ତାରେ ରଖିଦେଇ ପଳାଇଥିବା ଜଣାପଡିଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ନିସଙ୍ଗପୁର ଗ୍ରାମରେ । ସୁଚନାରୁ ଜଣାଯାଇଛି ଯେ ବେତୀରା ଗ୍ରାମର ଗଣେଶ୍ୱର ପାଢ଼ୀଙ୍କ ଓଆର୦୫ଡି ୩୯୩୧ ନମ୍ବର ବିଶିଷ୍ଟ ବୋଲେରୋଟିକୁ ନିସଙ୍ଗପୁର ଗ୍ରାମର ସୁରେଶ ଜେନା ନାମକ ଜଣେ ଯୁବକ ଚଳାଉଥିଲେ । ଗତ ମେ ମାସ ୧୧ତାରିଖ ରାତିରେ ସୁରେଶ ପ୍ରତିଦିନ ଭଳି ଗାଡିଟିକୁ ନେଇ ତାଙ୍କ ଘର ସମ୍ମୁଖରେ ରଖିଥିଲେ । କିନ୍ତୁ ତା ପରଦିନ ସକାଳୁ ଉଠିବା ବେଳକୁ ଗାଡିଟି ନଥିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଏନେଇ ଗାଡି ମାଲିକଙ୍କୁ ସୁଚନା ଦେଇଥିଲେ । ଗାଡି ମାଲିକ ପୁଲିସକୁ ଜଣାଇବାପରେ ନନ୍ଦିପଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅନେକ ସ୍ଥାନରେ ଖୋଜାଖେଜି କରିବାପରେ ମଧ୍ୟ ବୋଲେରୋ ଗାଡିର କିଛି ସନ୍ଧାନ ମିଳିନଥିଲା । କିନ୍ତୁ ଗତ କିଛିଦିନ ତଳେ ଘଟଗାଁରୁ ବାଇକ ଚୋରି ଘଟଣାରେ ଗିରଫ ହୋଇଥିବା ବେତିରା ଗ୍ରାମର ଜଣେ ଯୁବକକୁ ନନ୍ଦିପଦା ପୁଲିସ ଆଣି ପଚରା ଉଚୁରା କରିବାପରେ ପୁଲିସ ବୋଲେରୋ ଚୋରି ସମ୍ପର୍କରେ କିଛି ସୁରାକ ପାଇଥିଲା । ଏପରିକି ବୋଲେରୋଟିକୁ ବିକ୍ରୀ କରିଦେଇଥିବା ମଧ୍ୟ ଜାଣିବାକୁ ପାଇଥିଲା । ସେହି ସୁରାକକୁ ଆଧାରକରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା । ତେଣୁ କାଳେ ପୁଲିସ ଅନ୍ୟ ଚୋର ମାନଙ୍କୁ ଧରିପକାଇବ ଓ ଗାଡିୀ କିଣିଥିବା ଲୋକକୁ ଗିରଫ କରିବ ସେହି ଭୟରେ ଚୋରମାନେ ବୋଲେରୋଟିକୁ ଆଣି ଫେରାଇ ଦେଇଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି ।


