ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ୍ୟୁ ଘଟଣାରେ ଠିକାଦାରଙ୍କୁ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ହିଞ୍ଜିଳି ଥାନା ମୋହିଗୁଡ଼ା ରେ ଗତ ବୁଧବାର ଦିନ ସାନଖେମୁଣ୍ଡି ବ୍ଳକ ଆଡପଡା ପଞ୍ଚାୟତ ମୋହିଗୁଡାରୁ କଇଠବେଢା କେନାଲ ରାସ୍ତାରେ ଯିବା ବାଟରେ ବେଆଇନ ଭାବେ ଝୁଲା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କଇଠବେଢା ଗ୍ରାମର ହରିହର ମଲ୍ଲ (୭୫) ବ୍ୟକ୍ତି ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପୁଅ ରମେଶ ମଲ୍ଲ ଠିକାଦାରଙ୍କ ଖାମଖିଆଲି କାମ ଅଭିଯୋଗରେ ହିଞ୍ଜିଳି ଥାନାରେ ଏତଲା ଦେଇଥିଲେ । ଏପଟେ ପୋଲିସ ଏତଲାକୁ ଭିତ୍ତିକରି ଆଜି ଠିକାଦାର ତଥା ସାନଖେମୁଣ୍ଡି ଖଲିଙ୍ଗି ଗ୍ରାମର ପୂର୍ବତନ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ଖବରପ୍ରକାରେ , ହରିହର ମଙ୍ଗଳବାର ଦିନ ମୋହିଗୁଡା ଝିଅ ଘରକୁ ଯାଇ ବୁଧବାର ସକାଳେ କେନାଲ ରାସ୍ତାରେ ଚାଲି ଚାଲି ଆସୁଥିଲେ । ତେବେ ପୂର୍ବରୁ ଏଠାରେ ଜଳସେଚନ ବିଭାଗର ନିର୍ମାଣଧୀନ କେନାଲ କାମ ଚାଲିଥିଲା । ତେବେ ଠିକାଦାର ଜଣକ କଂକ୍ରିଟ ଖାଡି କାଟିବା ପାଇଁ ବିଦ୍ୟୁତ ଖୁଣ୍ଟରୁ ବେଆଇନ ଭାବେ ତାର ଆଣିଥିବା ବେଳେ ତାହା ଗଛ ଡାଳରେ ଘୋଡାଇ ହୋଇ ରହିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ । ଯାହାଫଳରେ ବୃଦ୍ଧ ଜଣକ ଏହି ତାର ସଂସ୍ପର୍ଶରେ ଆସିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଘଟଣାପରେ ହିଞ୍ଜିଳି ଥାନା କେସ୍ ନଂ ୪୫୨/୨୩ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ବେଳେ ଆଜି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇଥିବା ଥାନା ଅଧିକାରୀ ଶ୍ରୀ ଅଭିମନ୍ୟୁ ଦାସ ଙ୍କ ଠାରୁ ସୂଚନା ମିଳିଛି।