୫-ଟି ଯୋଜନାରେ ସ୍କୁଲରେ ଲହଡି ମାରୁଛି ବର୍ଷାପାଣି
ହାଟଡିହିି, (ବିକାଶ ବିଶ୍ୱାଳ):ସ୍କୁଲରେ ଲହଡି ମାରୁଛି ବର୍ଷା ପାଣି । ଏ କେଉଁ ଯାହିତାହି ସ୍କୁଲ ନୁହଁ, ୫-ଟିରେ ସାମିଲ ହୋଇଥିବା ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ଥିବା ଜପିଦାସ ବିଦ୍ୟାମନ୍ଦିରର ଦୃଶ୍ୟ । ଏଠାରେ ୫ଟି ଶ୍ରେଣୀରେ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । କିନ୍ତୁ ସ୍କୁଲ ଭିତରେ ବର୍ଷାପାଣି ଦୀର୍ଘଦିନ ହେବ ରହି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ଏହି ସ୍କୁଲଟି ୫-ଟିରେ ସାମିଲ ହେବା ପୁର୍ବରୁ ବିଦ୍ୟାଳୟର ପରିବେଶ ଠିକ ଥିଲା । କିନ୍ତୁ ୫-ଟିରେ ସାମିଲ ହେବାପରେ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ବଢ଼ିଲା ସତ କିନ୍ତୁ ପରିବେଶ ଦୁଷିତ ହୋଇଗଲା । ସ୍କୁଲ ଚାରିପଟେ ମାଟି ପକାଇଦେଇ ଉଚ୍ଚା କରିଦେବାପରେ ଜଳନିସ୍କାସନର କୌଣସି ବ୍ୟବସ୍ଥା ରଖାଗଲା ନାହିଁ । ଫଳରେ ବର୍ଷାପାଣି କୌଣସି ଆଡେ ଯାଇ ନପାରି ସ୍କୁଲର ଚତୁଃର୍ପାଶ୍ୱରେ ଘେରି ରହିବା ସହିତ ଗତକାଲି ବର୍ଷାରେ ସ୍କୁଲ ଶ୍ରେଣୀଗୃହରେ ପାଣି ପସିଲା । ଛାତ୍ରଛାତ୍ରୀମାନେ ଆଣ୍ଠୁଏ ପାଣିରେ ସ୍କୁଲ ଭିତରକୁ ଯିବା ଆସିବା କରୁଥିବାବେଳେ ଚାଉଳ ରହୁଥିବା ଘରେ ପାଣିପସି ବସ୍ତା ବସ୍ତା ଚାଉଳ ନଷ୍ଟ ହୋଇଯାଇଛି । ଗତ ୧୦/୧୨ଦିନ ହେବ ଏପରି ଅବସ୍ଥା ଲାଗି ରହିଥିବାବେଳେ ପାଣି ଗୁଡିକ ଜମିରହି ଦୁର୍ଗନ୍ଧ ହେଉଥିବାରୁ ଛାତ୍ରଚାତ୍ରୀମାନେ ଶ୍ରେଣୀଗୃହରେ ବସି ପାଠ ପଢ଼ିପାରୁ ନାହାନ୍ତି । ଏପରିକି ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେବି କୌଣସି ସୁଫଳ ମିଳିନଥିବା ବିଦ୍ୟାଳୟର ଶିକ୍ଷକମାନେ କହିଛନ୍ତି । ଏ ସମ୍ପର୍କରେ ସ୍କୁଲ କର୍ତ୍ତୁପକ୍ଷ କେନ୍ଦୁଝର ଜିଲ୍ଲାପାଳ ଓ ୫-ଟି ସଚିବଙ୍କୁ ଜଣାଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଯେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ମୁଁ ଗତକାଲି ଏ ବାବଦରେ ଜାଣିବାକୁ ପାଇଲି, ତୁରନ୍ତ ସଂପୃକ୍ତ ଠିକାଦାରଙ୍କୁ କହି ଜଳନିସ୍କାସନର ବ୍ୟବସ୍ଥା କରାଇବି ବୋଲି ସୁଚନା ଦେଇଛନ୍ତି ।


