କ୍ରାନ୍ତି ଦିବସର ସମାବେଶ ପାଇଁ ବାଲେଶ୍ୱରରେ ଜିଲାସ୍ତରୀୟ କନଭେନସନ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନଙ୍କ ଆହ୍ୱାନ କ୍ରମେ ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଭୁବନେଶ୍ୱର ଠାରେ ହେବାକୁ ଥିବା ମିଳିତ ମହାସମାବେଶକୁ ସଫଳ କରିବା ପାଇଁ ବାଲେଶ୍ୱରରେ ଏକ ଜିଲାସ୍ତରୀୟ କନଭେନସନ ରବିବାର ଅନୁଷ୍ଠିତ ହୋଇଯାଇଛି । ପରିବହନ ଶ୍ରମିକ ସଂଘ ସଭାଗୃହରେ ଆୟୋଜିତ ଏହି କନଭେନସନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପ୍ରତିନିଧି ଈଷାଣୀ ଷଡ଼ଙ୍ଗୀ, ଭାଗବତ ପ୍ରତିହାରୀ, ସୁରେଶ ଚନ୍ଦ୍ର ବେହେରା, ନିରାକର ପାଣ୍ଡବ ଓ ସର୍ବେଶ୍ୱର ମିଶ୍ରଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଆବାହକ ବିଜୟ ପାତ୍ର ଏଥିରେ ସ୍ୱାଗତ ଅଭିଭାଷଣପ୍ରଦାନ କରଇଥିବା ବେଳେ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଟିୟୁଏସିସିର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଏଆଇଟିୟୁସିର ରାଜ୍ୟ ସଂପାଦକ ତଥା ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଉମାକାନ୍ତ ଦାସ, ପ୍ରେମରଞ୍ଜନ ପାତ୍ର, ରବିନାରାୟଣ ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ, ଭରତ ଚନ୍ଦ୍ର ସେଠୀ, ପୂର୍ଣ୍ଣିମା ବେହେରା, ଶ୍ୟାମସୁନ୍ଦର ଜେନା, ପ୍ରଦୀପ ବେହେରା, ରାଜକିଶୋର ଲେଙ୍କା, ବନ୍ଦନା ପାତ୍ର, ପରମେଶ୍ୱର ବେହେରା, ମୃତ୍ୟୁଞ୍ଜୟ ରାଉତ, ଆରତି ଦାସମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଭୁବନେଶ୍ୱରରେ ମହାସମାବେଶ ଆୟୋଜନର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷ କରି ଶ୍ରମିକ ବିରୋଧୀ ୪ଟି କୋର୍ଡ଼ ଭିତ୍ତିକ ଶ୍ରମ ଆଇନ ବାତିଲ କରିବା, ପ୍ରତିରକ୍ଷା ସେବା ଆଇନ ଓ ବିଦ୍ୟୁତ ସଂଶୋଧନ ଆଇନ ବାତିଲ କରିବା, ରାଷ୍ଟ୍ରୀୟ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା, ସ୍କିମ ୱାର୍କର୍ସଙ୍କୁ ସର୍ବନିମ୍ନ ମଜୁରି ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା, ସରକାରୀ ଚାକିରିର ଖାଲିପଡ଼ିଥିବା ପଦ ପୂରଣ କରିବା, ଆକାଶଛୁଆଁ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ବେକାରୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବା, ଠିକା ଶ୍ରମିକ ପ୍ରଥା ବିଲୋପ କରିବା, ପୁରୁଣା ସରକାରୀ ପେନସନ ଲାଗୁ ଓ ଇପିଏଫର ସର୍ବନିମ୍ନ ୯ ହଜାର ପ୍ରଦାନ କରିବା, କିଷାନ ମୋର୍ଚ୍ଚାର ୬ଦଫା ଦାବି ପୂରଣ କରିବା, ମନେରେଗା ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କାମ ଓ ସର୍ବନିମ୍ନ ମଜୁରି ଦୈନିକ ୬୦୦ ଟଙ୍କା ପ୍ରଭୃତି ୧୪ ଦଫା ଦାବିର ଯଥାର୍ଥତା ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କର୍ମଚାରୀ ବିରୋଧୀ ଆଭିମୁଖ୍ୟ ଓ ଏହାକୁ ରାଜ୍ୟ ସରକାରଙ୍କ ସମର୍ଥନ ପ୍ରତିବାଦରେ ହେଉଥିବା ଆସନ୍ତା ଅଗଷ୍ଟ୯ର ଭୁବନେଶ୍ୱର ସମାବେଶକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ । ଅଟୋଚାଳକ, ପ୍ରତିରକ୍ଷା, ଡାକ, ବିଦ୍ୟୁତ୍, ପାଚିକା, ଉଠାଜଳସେଚନ, ଜୀବନବୀମା, ବ୍ୟାଙ୍କ, ପରିବହନ, ନିର୍ମାଣ ଶ୍ରମିକ, ଅଙ୍ଗନବାଡ଼ି, ଉତ୍କଳ ମହିଳା ସମିତି, ରିକ୍ସା ଚାଳକ ଓ ବିଭିନ୍ନ କଳକାରଖାନାର ଶ୍ରମିକ ସଂଗଠନ ଏହି ସଭାରେ ଯୋଗ ଦେଇଥିଲେ । ଶରତ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


