ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ରୂପାନ୍ତରୀକରଣ କରାଯିବା ପାଇଁ ବ୍ୟୟ ବରାଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବା ପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛି ପ୍ରଶାସନ। ଶିକ୍ଷାର ବିକାଶ ପାଇଁ ନାହିଁ ନାହିଁରେ ଚାଲିଥିବା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିଳୁ ସୁଦୃଢ଼ କରିବାକୁ ପ୍ରଥମ ପର୍ଯ୍ୟାୟରେ ଉକ୍ତ ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବୁଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଥିଲା। ସରକାରଙ୍କ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ପରିବର୍ତ୍ତନ କରାଗଲା। ଏଥିପାଇଁ ମଡର୍ନ ସାଇନ୍ସ ଲ୍ୟାବ, ହାଇଜେନିକ ଟଏଲେଟ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଇ-ଲାଇବ୍ରେରୀ, ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ବ୍ଲାକ ବୋର୍ଡ, ଏଲ୍‌ଇ ପ୍ରୋଜେକ୍ଟର, ପିଲାଙ୍କୁ ବସିବା ପାଇଁ ଟେବୁଲ, ଚେୟାର ଭଳି ବ୍ୟବସ୍ଥା ସହ ସାଇକେଲ ଷ୍ଟାଣ୍ଡ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ହୋଇଛି। ଏଥିରେ ଟିମ୍‌ ଓ୍ବାର୍କକୁ ଅର୍ଥାତ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରୀଛାତ୍ର କମିଟି ସ୍ଥାନୀୟ ଲୋକପ୍ରତିନିଧି, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ବିଦ୍ୟାଳୟଗୁଡିକର ବିକାଶ କରାଯାଇଛି। ସେହିପରି ଦିତୀୟ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯାଇଥିଲା ଏବଂ ତୃତୀୟ ପର୍ଯ୍ୟରେ ୧୧ଟି ଏବଂ ଚତୁର୍ଥ ପର୍ଯ୍ୟାୟ ତଥା ଶେଷରେ ମୋଟ ୧୫ଟି ବିଦ୍ୟାଳୟର ରୂପାନ୍ତରୀକରଣ କରାଯିବାକୁ ଏବେ ଭଙ୍ଗା ଦଦରା ବିଦ୍ୟାଳୟଗୁଡିକରେ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ଏହି ରୂପାନ୍ତରୀ କରଣ ହେବାକୁ ଥିବା ୧୫ଟି ବିଦ୍ୟାଳୟ ମଧ୍ୟରୁ ୩ଟି ତଥା ବୁଡ଼ାଗୁଡ଼ା କନ୍ୟାଶ୍ରମ, ଦାରିଙ୍ଗବାଡ଼ି କନ୍ୟାଶ୍ରମ ଏବଂ ଉଲିପଦର କନ୍ୟାଶ୍ରମକୁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଅନ୍ୟ ୧୨ଟି ପଞ୍ଚାୟତ ସମିତି ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି, ସେହିପରି ଦାରିଙ୍ଗବାଡ଼ି ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁଦ୍ଧିମାଳ ଡିଗ୍ରୀ କଲେଜ ଓ ଜୁନିୟର କଲେଜ ମଧ୍ୟ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ ବୋଲି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ବିଭିନ୍ନ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ସମୟରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ