ପଦାରେ ପଡିଲା ଯନ୍ତ୍ରୀ- ଠିକାଦାର ମଧୁଚନ୍ଦ୍ରିକା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ହିଞ୍ଜିଳିକାଟୁର ବିକାଶ ପାଇଁ ରାଜ୍ୟ ରାଜକୋଷରୁ ବହୁ ଅର୍ଥ ବ୍ୟୟ ହେବାରେ ଲାଗିଛି । ବାସ୍ତବରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ସହ ଯନ୍ତ୍ରୀ – ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ନିମ୍ନମାନର କାର୍ଯ୍ୟ କରାଯାଉଛଇ । ଯଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନରେ କଳାଛିଟା ପଡିବା ସହ ଅକାରଣରେ ରାଜ୍ୟ ସରକାର ନିନ୍ଦିତ ହେବାକୁ ପଡୁଛି । ଏଭଳି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦେଖିବାକୁ ମିଳିଛି । ନିର୍ମାଣର ୨ମାସ ନପୁରୁଣୁ ନିର୍ମାଣ ହୋଇଥିବା କଲ୍ୟାଣମଣ୍ଡପ କାନ୍ଥରେ ଫାଟ ସୃଷ୍ଟି ହେବା ସହ ଚଟାଣ ଟାଇଲ ଭାଙ୍ଗି ଗଲାଣି । ଯନ୍ତ୍ରୀ-ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବାରୁ ଜାଣିଶୁଣି ଏଭଳି ନିମ୍ନମାନର କାମ କରାଯାଉଛି ବୋଲି ସଂପୃକ୍ତ ସାହିବାସିନ୍ଦା ଅଭିଯୋଗ କରିଛନ୍ତି । ପ୍ରତିବାଦରେ ସାହିବାସିନ୍ଦା ଶୁକ୍ରବାର ପୌର କାର୍ଯ୍ୟାଳୟ ଘେରାଉ କରିବା ସହ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନୁପସ୍ଥିତିରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କରବିା ପାଇଁ ଦାବି ଜଣାଇଛନ୍ତି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବ ବୋଲି ଚେତାବନୀ ଦେଇଛନ୍ତି ।ପ୍ରକାଶ ଯେ, ସାଂସଦଙ୍କ ହାତପାଣ୍ଠିରୁ ପ୍ରାୟ ୧୪ଲକ୍ଷ ୯୭ ହଜାର ୨୬୨ ଟଙ୍କା ବ୍ୟୟରେ ହିଞ୍ଜିଳିକାଟୁ ପୌରାଞ୍ଚଳ ୧୫ ନଂ ୱାର୍ଡରେ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିଲା । ଠିକାଦାର ଜଣଙ୍କ ନିର୍ମାଣ କାର୍ଯ୍ୟାରମ୍ଭ କରିବା ସହ ଗତ ପ୍ରାୟ ୨ ମାସ ପୂର୍ବେ ସଂପୃକ୍ତ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ନିର୍ମାଣର ୨ ମାସ ନପୁରୁଣୁ ସଂପୃକ୍ତ କଲ୍ୟାଣ ମଣ୍ଡପର କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହେବା ସହ ଚଟାଣରେ ବିଛାଯାଇଥିବା ଟାଇଲ ଗୁଡିକ ଭାଙ୍ଗି ଗଲାଣି । ଏପରିକି ସିଡି ଘରେ ପୁରୁଣା ଟିଣ ବ୍ୟବହାର କରାଯାଇଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ନିର୍ମାଣ ସମୟରେ ସାହି ବାସିନ୍ଦା ଏହାକୁ ବିରୋଧ କରିଥିବା ବେଳେ ଠିକାଦାର ଜଣଙ୍କ ଏଥିପ୍ରତି କର୍ଣ୍ଣପାତ ନକରିବା ସହ ବହୁ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଚାଲୁଥିବା ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ଉଠିଛି । ଘଟଣା ପ୍ରତି ଦୃଷ୍ଟି ପ୍ରଦାନ କରି ସଂପୃକ୍ତ କଲ୍ରାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଠିକାଦାରଙ୍କ ହାତଖର୍ଚ୍ଚରୁ ପୁର୍ନବାର ନିର୍ମାଣ କାର୍ଯ୍ୟ କରିବାକୁ ସାହି ବାସିନ୍ଦା ଦାବି ଜଣାଇଛନ୍ତି । ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ପୌରାଞ୍ଚଳ ମଧ୍ୟରେ ନିର୍ମାଣଧିନ ସମସ୍ତ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ପ୍ରତିବାଦରେ ଶୁକ୍ରବାର ଉଭୟ ୧୪ ଓ ୧୫ନଂ ୱାର୍ଡ କେଉଟ ସାହିର ବହୁ ସାହିବାସିନ୍ଦା ପୌର କାର୍ଯ୍ୟାଳୟ ଘେରାଉ କରିବା ସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ଦାଶଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ପ୍ରଦାନ ସମୟରେ ବିକ୍ରମ ବେହେରା, ପ୍ରମୋଦ କୁମାର ବେହେରା, ମାନସ ରଞ୍ଜନ ବେହେରା, ଭଗବାନ ପାତ୍ର, ହିମାଂଶୁ ବେହେରା, ସୁଦାମ ବେହେରା, ଉଦୟନାଥ ବେହେରାଳ ଧୃବ ବେହେରା, କୃର୍ଷ୍ଣଚନ୍ଦ୍ର ବେହେରାଙ୍କ ସମେତ ସାହିର ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପସ୍ଥିତ ଥିଲେ । ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସହ ଯୋଗଯୋଗ କରିବାରୁ ଅଭାସି ବୈଠକରେ ଯୋଗ ଦେଇଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ