ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟତର ହୋଇ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜିଲ୍ଲାପାଳଙ୍କ ପ୍ରୟାସ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୋହନା ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ପାଦ ଚାଲରେ ଗସ୍ତ କରି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି. ଉନ୍ନତିମୂଳକ କାର୍ଯ୍ୟକ୍ରମର ନିରୀକ୍ଷଣ ସହ ଅପହଞ୍ଚ ଇଲାକାର ଉନ୍ନତି କରଣ, ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ, କାର୍ଯ୍ୟର ଅଗ୍ରଗତି, ଜନସାଧାରଣଙ୍କ ସହ ସିଧାସଳଖ କଥା ହୋଇ ଭଲମନ୍ଦ ବୁଝିବା, ସମସ୍ୟା ଗୁଡିକର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବା, ଅଭିଯୋଗ ଶୁଣାଣୀ ଗୁଡିକ ଉପରେ ଗୁରୁତ୍ବ ଦେବା ଆଦି ପରିଲିକ୍ଷିତ ହୋଇଛି । ଆଜି ଜିଲ୍ଲାପାଳ ଶ୍ରୀ ପ୍ରଧାନ ମୋହନା ବ୍ଲକର ହୁଏରୀ ଗ୍ରାମକୁ ସକାଳ ସକାଳ ପହଞ୍ଚି ଗ୍ରାମବାସୀଙ୍କ ସହ ଲୋକଙ୍କ ଘର ବାରଣ୍ଡାରେ ବସି ସମସ୍ୟା ସମ୍ପର୍କିତ ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କୁ ନିଜ ନିଜ ଗହଣରେ ପାଇ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିବା ସହ ସମସ୍ୟା ଗୁଡିକୁ ଗୋଟି ଗୋଟି କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହା ସହ ମୋଘର ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପଚାରି ବୁଝିଥିଲେ । ଏହାପରେ ମୋହନା ଠାରେ ଥିବା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ତ ତଥ୍ୟ ଭାରପ୍ରାପ୍ତ ମେଡିକାଲ ଅଧିକାରୀଙ୍କୁ ପଚାରି ବୁଝିବା ସହ ସ୍ବାସ୍ଥ୍ୟ କେନ୍ଦ୍ରରର ବିଭିନ୍ନ କର୍ମଚାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେହିପରି ଅଡବା ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡିମା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ପହଞ୍ଚି ୫ଟି ରୂପାନ୍ତରିତ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ । ଏହା ସହ କ୍ଲାସରୁମ୍ ରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ପାଠ୍ୟକ୍ରମ ସମ୍ବନ୍ଧିୟ କଥାବାର୍ତ୍ତା ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଓ ଛାତ୍ରଛାତ୍ରୀଙ୍କୁ ସଦାସର୍ବଦା ବିଦ୍ୟାଳୟର ପରିବେଶ ସଫାସୁତୁରା ତଥା ସ୍ବଚ୍ଛତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ଅଡବା ପଞ୍ଚାୟତର ଡୁମିଗୁଡା ଗ୍ରାମରେ ପହଞ୍ଚି ମତ୍ସ୍ୟ ସମାଜ ପରିଦର୍ଶନ କରି କେସ୍ କଲ୍ଚରର ତଦାରଖ କରିଥିଲେ । ସୀମା ପ୍ରାଚୀର, ଲ୍ୟାଣ୍ଡିଂ ସେଣ୍ଟର ଏବଂ କ୍ୟାପ୍ଟିଭ୍ ନର୍ସରୀର ଆକଳନ ସହିତ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ