ଖାଦ୍ୟ ଆୟୋଗଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶାରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହିତ କ୍ଷେତ୍ର ପ୍ରଦର୍ଶନ କରି ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ କିଭଳି ଚାଲିଛି ତାହା ଦେଖିଥିଲେ । ବୁଧବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ପ୍ରକୋଷ୍ଠ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ହୋଇଥିବା ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ସାମାଜିକ ସୁରକ୍ଷା ଯୋଜନା, ସମନ୍ବୀତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ ।ଅଧ୍ୟକ୍ଷ ଶ୍ରୀ ସାହୁ ଏଥି ପୂର୍ବରୁ ଆଠଗୋଟି ଜିଲ୍ଲା ପରିଦର୍ଶନ କରିଛନ୍ତି । ଯେଉଁଠି ଯେଉଁ ସମସ୍ୟାମାନ ଦେଖାଯାଉଛି ସେଗୁଡିକ କିଭଳି ସମାଧାନ ହେବ ସେ ଦିଗରେ ପ୍ରୟାସ ରଖିଛନ୍ତି । ଗଞ୍ଜାମ ଜିଲ୍ଲାରେ ଖାଦ୍ୟ ନିରାପତ୍ତା ଯୋଜନାରେ ଓଡିଶାରେ ସମସ୍ତ ଜିଲ୍ଲା ମଧ୍ୟରୁ ଅଧିକ ହିତାଧିକାରୀ ରହିଥିବା ପ୍ରକାଶ କରିଥିଲେ । ରାସନକାର୍ଡ ବ୍ୟବସ୍ଥା ସମସ୍ତ ଗ୍ରାମ ପଞ୍ଚାୟତରେ ରହିଥିବା ଗୋଦାମ ଗୃହରେ ସିସିଟିଭି ବ୍ୟବସ୍ଥା କରିବାକୁ ଜଣାଇଥିଲେ । ବେସରକାରୀ କୋଠାରେ ଯେଉଁଠି ଗୋଦାମ ହୋଇଛି ସେଗୁଡିକ ସରକାରୀ କୋଠାକୁ ସ୍ଥାନାନ୍ତର କରିବାକୁ ମତ ଦେଇଥିଲେ । ଜିଲ୍ଲା ପରିଷଦ ବୈଠକରେ ଭିଜିଲାନ୍ସ କମିଟି ଗଠନ ପ୍ରସ୍ତାବ ଆଗତ କରିବାକୁ ଜଣାଇଥିଲେ । ବସ୍ତି ଅଞ୍ଚଳ ଗୁଡିକରେ ରହୁଥିବା ପରିବାର ବର୍ଗଙ୍କ ମା ଗଣ ଶ୍ରମ ଖଟିବାକୁ ଯାଆନ୍ତି ତେଣୁ ସେମାନଙ୍କ ପିଲାମାନେ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିନେଇ ସେହି ଅଞ୍ଚଳରେ ବସବାସ କରୁଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କ ନିମନ୍ତେ ସ୍ବତନ୍ତ୍ର କେନ୍ଦ୍ର ସ୍ଥାପନ କରି ଶିକ୍ଷା ବ୍ଯବସ୍ଥାରେ ଯୋଡିବା ପାଇଁ ପ୍ରସ୍ତାବ ଦେଇଥିଲେ । ଶ୍ରମ ଖଟିବାକୁ ଯିବା ପୂର୍ବରୁ ପିଲାମାନଙ୍କ ମା ମାନେ ଉକ୍ତ କେନ୍ଦ୍ରରେ ନିଜ ରପିଲା ମାନଙ୍କୁ ଛାଡିବେ ଏବଂ କାମ ସାରି ଫେରିବା ପରେ ନିଜ ପିଲାଙ୍କୁ ନିଜ ଘରକୁ ନେବେ । ଶିକ୍ଷା, ସ୍ବାସ୍ଥ୍ୟ ଓ ଖାଦ୍ୟ ପ୍ରଭୃତିର ବ୍ୟବସ୍ଥା ଉକ୍ତ କେନ୍ଦ୍ରରେ କରିବାକୁ ଜଣାଇଥିଲେ । ଏହି ଦିଗରେ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଅବଗତ କରାଇଥିଲେ ।
ଜିଲ୍ଲାରେ ୨୦୧୧ ମସିହା ଜନଗଣନା ଅନୁସାରେ ୩୫ ଲକ୍ଷ ୨୯ ହଜାର, ୦୯୪ ଜନ ସଂଖ୍ୟା ରହିଛି । ଜିଲ୍ଲାରେ ଥିବା ୩୨୫୦ଗୋଟି ଗ୍ରାମ, ୨୨ ଗୋଟି ବ୍ଲକ୍, ୧୮ ଗୋଟି ସହରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ରହିଛି । ଏହାକୁ ଆଧାର କରି ଜିଲ୍ଲାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୨୫୦୮୯୪୦ ଜଣ ଅନ୍ତର୍ଭୁକ୍ତ ଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ୩୩୬୦୪ ପରିବାରର ୯୯୭୪୩ ଜଣ ବ୍ୟକ୍ତି ଉପକୃତ ଅଛନ୍ତି । ୬୭୨ ଗୋଟି ଏଫ୍.ପି.ଏସ୍. ରେ ଅନ୍ତର୍ଭୁକ୍ତ ଅଛନ୍ତି । ନୂତନ ରାସନ କାର୍ଡ ସକାଶେ ଚଳିତ ମାର୍ଚ୍ଚ ସୁଦ୍ଧା ୨୩୦୪ ଆବେଦନ ଗ୍ରହଣ କରାଯାଇ ୨୧୦୪ ଗୋଟି ଆବେଦନ ମଞ୍ଜୁର ହୋଇ ସାରିଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଅବଗତ କରାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ସକାଶେ ୫୫୮ ଗୋଟି ଜନ ଶୁଣାଣୀ କରାଯାଇ ୪୯୮ ଗୋଟି ଆବେଦନର ଶୁଣାଣୀ ହୋଇ ସାରିଛି । ଜିଲ୍ଲା ଶିକ୍ଷା ଅଧିନରେ ୨୦୨୩-୨୪ଆର୍ଥିକ ବର୍ଷରେ ଖାଦ୍ୟ ନିରାପତ୍ତା ବାବଦକୁ ୩୦୮୪ ଗୋଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି । ୩୪୨୫୭୭ ଜଣ ହିତାଧିକାରୀ ଏହି ଯୋଜନାର ଲାଭ ନେଉଛନ୍ତି ।ଅମ୍ଲାନ ଯୋଜନାରେ ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ଶତକଡା ୬୧ ପ୍ରତିଶତ ଏବଂ ଷଷ୍ଠ ଠାରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ଶତକଡା ୭୦ ପ୍ରତିଶତ ଆଇ.ଏଫ୍.ଏ. ବଟିକା ପ୍ରଦାନ କରାଯାଇଅଛି । ଜିଲ୍ଲାର ୨୬୧୫ ଗୋଟି ବିଦ୍ୟାଳୟରେ ଅମୃତଭଣ୍ଡା, କଞ୍ଚାକଦଳୀ, ପନିପରିବା ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଫଳ ବଗିଚା ଉଦ୍ୟାନ କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ଅବଗତ କରାଇଥିଲେ । ଜିଲ୍ଲାରେ ୨୧୪ ଗୋଟି ପୁଷ୍ଟି ପୁନର୍ବାସ କେନ୍ଦ୍ର ରହିଛି । ସେହିସବୁ କେନ୍ଦ୍ର ଗୁଡିକରେ ପୁଷ୍ଟି ହୀନତାର ଶିକାର ହେଉଥିବା ଶିଶୁ ମାନଙ୍କର ସୁରକ୍ଷା ଦିଆଯାଉଛି । ସେମାନଙ୍କ ଖାଦ୍ୟପେୟ, ଶିକ୍ଷା ଇତ୍ୟାଦିର ଯତ୍ନ ନିଆଯାଉଛି । ନବଜାତ ଶିଶୁ ମାନଙ୍କୁ ମା କ୍ଷୀର, ଶିଶୁ ଜନ୍ମ ହେବାର ଏକଘଣ୍ଟା ମଧ୍ୟରେ ଶତକଡା ଶତପ୍ରତିଶତ ଦିଆଯାଉଥିବା ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡଃ ଉମା କାନ୍ତ ମିଶ୍ର ଅବଗତ କରାଇଥିଲେ । ସେହିଭଳି ରକ୍ତ ହୀନତା ମାପ କରାଯାଇ ଅମ୍ଲାନ ଯୋଜନାରେ ୬ ରୁ ୫୯ ମାସର ଶିଶୁଙ୍କର ଯତ୍ନ ନିଆ ଯାଉଥିବା ଅବଗତ କରାଇଥିଲେ । ଗର୍ଭାବସ୍ଥା ସମୟରେ ଏବଂ ଶିଶୁ ଜନ୍ମ ପରେ ଗର୍ଭସ୍ଥ ମା ମାନଙ୍କର ଯତ୍ନ କିଭଳି ନିଆଯାଉଛି ସେ କଥା ଅଧ୍ୟକ୍ଷ ପଚାରି ବୁଝିଥିଲେ । ଆଇରନ୍ ବଟିକା, କୃମି ନାଶକ ଔଷଧ,ବ୍ଲକ୍ଓ୍ବାରୀ ନିଆଯାଉଥିବା ଇମୁନାଇଜେସନ୍ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ କାର୍ଯ୍ୟକାରିତା ହେଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ ଅବଗତ କରାଇଥିଲେ । ସମନ୍ବୀତ ଶିଶୁ ବିକାଶ ଯୋଜନାରେ ପୁଷ୍ଟକର ଖାଦ୍ୟ ମୋ ଉପକାରୀ ବଗିଚା, କୁ ପୋଷଣର ଶିକାର ହେଉଥିବା ଶିଶୁଙ୍କ ସୁରକ୍ଷା, ଅଙ୍ଗନଓ୍ବାଡି କେନ୍ଦ୍ର ଓ ଏହାର ପରିଚାଳନା, ଆଧାର ସଂଯୋଗ ଇତ୍ୟାଦି ସମ୍ପର୍କରେ ଜିଲ୍ଲା ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ ଅବିଦା ପରବିନ୍ ଅବଗତ କରାଇଥିଲେ ।ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୀଷ କୁଲକର୍ଣ୍ଣି, ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।


