ବର୍ଷା ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଲଘୁଚାପ ଜନିତ ବର୍ଷାରେ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ବଡବର୍ଚ୍ଚିକୟାଁ ପଞ୍ଚାୟତର ଆପ୍ତିରା ଷଡଙ୍ଗୀ ଗ୍ରାମର ଆପ୍ତିରା ୟୁ.ଜି.ଏମ୍‌.ଇ ସ୍କୁଲରୁ ଷଡଙ୍ଗୀ ରାସ୍ତା ପାଖ ଜେନା ସାହିର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ୫ଟି ବାସଗୃହରେ ପାଣି ପଶି ଯାଇଛି । ୫ଟି ପରିବାରର ୨୫ ଜଣଙ୍କୁ ଆପ୍ତିରା ସ୍କୁଲରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗରେ ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କୁ ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପିଇଓ ସଂଗୀତାରାଣୀ ପାଣିଗ୍ରାହୀ ପରିଦର୍ଶନ କରି ପରିସ୍ଥିତି ଅନୁସାରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କହିଛନ୍ତି । ଏଥିସହିତ ଏହି ବ୍ଲକ ଟିମ୍ ଆଡିଆ, କାଦବରାଙ୍ଗ ଗ୍ରାମ ପଞ୍ଚାୟତର କ୍ଷତିଗ୍ରସ୍ତ ରାସ୍ତା ପରିଦର୍ଶନ କରିଥିଲେ । ସେହିପରି ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଦୋଳପଦୀ, ନରସିଂହପୁର, ପଧାନପଡା, ଆପଣ୍ଡା, ରାମଚନ୍ଦ୍ରପୁର ବର୍ଷା ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କ ସହିତ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ସେହିପରି ବର୍ଷା ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତା କଟା ଯାଇଥିବା ଏବଂ କେତେକ ସ୍ଥାନରେ ପବନରେ ଗଛ ଉପୁଡି ପଡିବା ଓ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ସ୍ଥିତିକୁ ସ୍ୱାଭାବିକ କରିବାକୁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । କପାଳୀ ଓ ସାଳନ୍ଦୀ ନଦୀରେ ଜଳ ଭରା ରହିଥିବା ବେଳେ କେତେକ ସ୍ଥାନରେ ବର୍ଷା ଜଳ ରାସ୍ତାରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ