ମେଡ଼ିକାଲ୍ ରେ ଝିଅର ମୃତଦେହ ଠାବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ସକାଳେ ମୁଜାଗଡ଼ ଗ୍ରାମର ଫିରୋଜକାନ୍ତ ସାହୁ ନିଜ ଝିଅ ଜ୍ୟୋତିରେଖା ସାହୁ(୨୮)ଙ୍କର ବିଷକ୍ରିୟା ଜନିତ ମୃତ ଦେହକୁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଠାବ କରି ଝିଅର ପ୍ରେମିକ ତଥା କ୍ଷତ୍ରିୟବରପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ୟାମଘନ ଗୌଡ଼ଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି I ଫିରୋଜକାନ୍ତଙ୍କ ସୂଚନା ପ୍ରକାରେ ୨୦୦୪ ମସିହାରେ ସୋରଡ଼ା ଅଞ୍ଚଳର ଶିକ୍ଷକ ଶ୍ୟାମଘନ ଗୌଡ଼ ମୁଜାଗଡ଼ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ I ସେହି ସମୟରେ ଶିକ୍ଷକ ଶ୍ୟାମଘନ ଫିରୋଜକାନ୍ତଙ୍କ ନାବାଳିକା ଝିଅ ଜ୍ୟୋତିରେଖାକୁ ଟ୍ୟୁସନ୍ ପଢାଇବା ସହିତ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲେ I ଶ୍ୟାମଘନ ଜ୍ୟୋତିରେଖାକୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କ ସହିତ ବର୍ଷ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ I ଗତ ୨୦୧୯ ମସିହାରେ ଶ୍ୟାମଘନ ମୁଜାଗଡ଼ରୁ ବଦଳି ହୋଇ କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟକୁ ଚାଲି ଆସିଥିଲେ I ଏହି ସମୟ ଭିତରେ ଶ୍ୟାମଘନ ଅନ୍ୟତ୍ର ବିବାହ କରିସାରିଥିଲେ ମଧ୍ୟ ଜ୍ୟୋତିରେଖାକୁ ମିଠା ମିଠା କଥା କହି ବୁଝାଇ ସୁଝାଇ ନିଜ ପ୍ରେମ ଜାଲରେ ବାନ୍ଧି ରଖିଥିଲେ I ଆଜି ସକାଳେ ଜ୍ୟୋତିରେଖା ଘରେ କାହାକୁ କିଛି ନଜଣାଇ ଘରୁ କୁଆଡ଼େ ବାହାରି ଯାଇଥିଲେ I ସକାଳ ନଅ ଘଣ୍ଟା ସମୟରେ ଶ୍ୟାମଘନ ଜ୍ୟୋତିରେଖାଙ୍କ ମୋବାଇଲ୍ ରୁ ଫିରୋଜକାନ୍ତଙ୍କୁ ଫୋନ୍ କରି ଜ୍ୟୋତିରେଖା ବିଷ ଖାଇଦେଇଥିବା ଏବଂ ସେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କଥା ଜଣାଇଥିଲେ I ଖବର ପାଇ ପିତା ଫିରୋଜକାନ୍ତ ଗୋବରା ମେଡ଼ିକାଲ୍ ରେ ପହଞ୍ଚି ମେଡ଼ିକାଲ୍ ରେ ଜ୍ୟୋତିରେଖାଙ୍କ ମୃତ ଦେହ ପଡିରହିଥିବା ଦେଖିବାକୁ ପାଇଥିଲେ ଏବଂ ସ୍ଥାନୀୟ ଡ଼ାକ୍ତରଙ୍କ ଠାରୁ ବିଷକ୍ରିୟା ଯୋଗୁଁ ଜ୍ୟୋତିରେଖାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ I ଜ୍ୟୋତିରେଖା ଆତ୍ମହତ୍ୟା କରିଥିବା ବିଷୟକୁ ପରିବାର ଲୋକେ ଅସ୍ୱୀକାର କରିବା ସହିତ ଝିଅର ପ୍ରେମିକ ତଥା ସଂସ୍କୃତ ଶିକ୍ଷକ ଶ୍ୟାମଘନ ନିଜ ରାସ୍ତାରୁ କଣ୍ଟା ହଟାଇବା ପାଇଁ ଜ୍ୟୋତିରେଖାଙ୍କୁ ବିଷ ଦେଇ ମାରିଦେବା ସହିତ କୁଆଡେ଼ ଫେରାର ହୋଇଯାଇଥିବା ସନ୍ଦେହ କରିଛନ୍ତି I ଏନେଇ ଫିରୋଜକାନ୍ତ ଗାଙ୍ଗପୁର ଥାନାରେ ଶ୍ୟାମଘନଙ୍କ ନାମରେ ଅଭିଯୋଗ କରିଛନ୍ତି I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଗୋବରା ମେଡିକାଲ୍ ରେ ପହଞ୍ଚି ଶବକୁ ଜବତ କରି ବ୍ରହ୍ମପୁର ଏଫ୍.ଏମ୍.ଟିକୁ ପଠାଇ ଦେବା ସହିତ ୬୧୫/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁ୍ଥିବା ଜଣାପଡ଼ିଛି I ରିପୋର୍ଟ ଆସିବା ପରେ ଜ୍ୟୋତିରେଖାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୋଲିସ୍ ସୂତ୍ରରୁ ପ୍ରକାଶ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ