ମିଳଲାନି ଭତ୍ତା କି ଆବାସ ଗୃହ,ଭଙ୍ଗାଘରେ ମସୁରୀ ଭିତରେ ବିତୁଛି ଜୀବନ

ହାଟଡିହିି, (ବିକାଶ ବିଶ୍ୱାଳ):ଗରିବଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା, ହେଲେ ସବୁ ଯୋଜନା ଯେପରି ଫେଲ ମାରିଛି ଏହି ଜାନକୀଙ୍କ ପାଇଁ । ଜାନକୀଙ୍କ ଶୋଚନୀୟ ଅବସ୍ଥାକୁ ନିଜ ଆଖିରେ ନଦେଖିଲେ କେହି ବି ବିଶ୍ୱାସ କରିପାରିବେନି ମହିଳାଙ୍କ କଷ୍ଟ । ତିନିବର୍ଷ ହେଲା ସ୍ୱାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ୧୦ବର୍ଷ ହେଲା ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିବାକୁ ବସିଛି, ଚାଷଜମି ମଧ୍ୟ ନାହିଁ, ଏପରି ଅବସ୍ଥାରେ ଅତି ଦୟନୀୟ ଅବସ୍ତାରେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା । ଦୁଇଝିଅ, ଗୋଟିଏ ପୁଅ ଓ ସ୍ୱାମୀଙ୍କୁ ନେଇ ତାଙ୍କର ପରିବାର । ଦୁଇ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ ବିଦେଶ ଚାଲିଗଲା କାମଧନ୍ଦା କରିବା ପାଇଁ । ସ୍ୱାମୀ ଜଟାଧାରୀ ଗତ ୨୦୨୦ରେ କରୋନା ସମୟରେ ଆର ପାରିକୁ ଚାଲିଗଲେ । ବାପାର ମୃତୁ୍ୟ ଖବର ପାଇବି ପୁଅ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସକ୍ରାର ସହିତ ଶୁଦ୍ଧିକ୍ରୀୟା ହେଲା । ଘରେ ଖାଇବାକୁ ଗଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ରେସନ ଚାଉଳ ହିଁ ତାଙ୍କର ସାହା ଭରଷା । ପ୍ରତିଦିନ ଗାଁ ଗାଁ ବୁଲି ଯାହା ମାଗିକରି ଆଣୁଛନ୍ତି ସେଇଥିରେ ତେଲ ଲୁଣ ଟିକିଏ କିଣି ରୋଷେଇ କରି ଖାଉଛନ୍ତି । ଏପରିକି ଅଧାଦିନ ଉପବାସରେ ଦିନ କାଟୁଛନ୍ତି ଜାନକୀ । ସେମାନେ ରହୁଥିବା ମାଟିଘରଟି ଅର୍ଥାଭାବରୁ ଛପର କରିନପାରିବାରୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ଭଙ୍ଗା ବାରଣ୍ଡାରେ ଗୋଟିଏ ମସୁରି ଟାଙ୍ଗି ଦିନ ରାତି ବିତାଉଛନ୍ତି ବିଧବା ଜାନକୀ । କେତେବେଳେ ଯେ ଘରର କାନ୍ଥ ତାଙ୍କ ଉପରେ ନପଡିବ ତାହା କହି ହେବ ନାହିଁ । ବର୍ଷାପାଣିରେ ଦିନରାତି ବିତାଉଥିବା ଦେଖି ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ତାଙ୍କୁ ଏକ ପଲିଥିନି ଦେଇ ଘର ଉପରେ ଟାଙ୍ଗି ଦେଇଛନ୍ତି । ସେହିପରି ବିଧବା ଭତ୍ତା ପାଇଁ ଆବେଦନ କରିଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ପାଇ ପାରିନାହାନ୍ତି । ବହୁ ଦୁଖଃକଷ୍ଟରେ କାଳାତିପାତ କରୁଥିବା ଜାନକୀଙ୍କ ସମ୍ପର୍କରେ ଗତ ମେ ମାସରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏନେଇ ପଦକ୍ଷେପ ନେବେ ବୋଲି କହିଥିଲେ । କିନ୍ତୁ ଏବେ ହାଟଡିହି ବ୍ଲକର ୮ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆବାସ ଯୋଜନା ଘର ଦିଆଯାଇଥିବାବେଳେ ଜାନକୀ ରଣାଙ୍କୁ ଘର ମିଳିଲାନି । କୋଠାବାଡି ଥିବା ଲୋକ ଘର ପାଇଲେ କିନ୍ତୁ ବିଚାରୀ ଅସହାୟ ଜାନକୀ ଭୁଲିଗଲା ପ୍ରଶାସନ । ସେହିପରି ଚଳିତମାସ ତିନିହଜାର ପାଖାପାଖି ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଭତ୍ତା ଦିଆଯାଇଥିବାବେଳେ ଜାନକୀଙ୍କୁ ବାଦ ଦିଆଯାଇଛି । ତୁରନ୍ତ ତାଙ୍କୁ ବିଧବା ଭତ୍ତା ଖଣ୍ଡିଏ ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ